ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇଛି। ଏଣିକି କିଟ୍‌ର ଆର୍ଥିକ କାରବାର ଏବଂ ଅନୁଷ୍ଠାନ ସହିତ ଜଡ଼ିତ ସମସ୍ତ ତଥ୍ୟ ଦେବାକୁ କିଟ୍ ବାଧ୍ୟ ହେବ। ୨୦୧୪ ମସିହାରେ ଦାଏର ଏକ ଆବେଦନର ଶୁଣାଣି କରି ରାଜ୍ୟ ସୂଚନା କମିସନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଅବସରପ୍ରାପ୍ତ କେତେଜଣ କର୍ମଚାରୀ କିଟ୍‌ ଏବଂ ଏହାର ସହଯୋଗୀ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଅଛନ୍ତି ତାହାର ତଥ୍ୟ ଦେବାକୁ ୨୦୧୪ ସେପ୍ଟେମ୍ବର ୧ରେ ଜଣେ ସୂଚନା କର୍ମୀ, କିଟ୍‌ ସୂଚନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କିଟ୍‌ କର୍ତ୍ତୃପକ୍ଷ ଦର୍ଶାଇଥିଲେ ଯେ, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ଅଧୀନରେ କିଟ୍ ପ୍ରତିଷ୍ଠିତ ହୋଇଥିବା ସହ ଏହା ଏକ ସେଲ୍‌ଫ ଫାଇନାନ୍ସ ଘରୋଇ ଅନୁଷ୍ଠାନ। ସମ୍ବିଧାନର ଧାରା ୧୨ ଅନୁଯାୟୀ କିଟ୍ ରାଜ୍ୟ କିମ୍ବା କୌଣସି ସରକାରୀ ଅନୁଷ୍ଠାନ ନୁହେଁ। ଏହା ଦର୍ଶାଇ ସୂଚନା କର୍ମୀଙ୍କ ଆବେଦନକୁ କିଟ୍ କର୍ତ୍ତୃପକ୍ଷ ଖାରଜ କରିଦେଇଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ୨୦୧୭ରେ ଆବେଦନକାରୀ ରାଜ୍ୟ ସୂଚନା କମିସନଙ୍କ ନିକଟରେ ଆବେଦନ କରିଥିଲେ। ଏହାପରେ କିଟ୍ କର୍ତ୍ତୃପକ୍ଷ କମିସନଙ୍କ ପାଖରେ ନିଜର ପକ୍ଷ ରଖି କହିଥିଲେ ଯେ, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ ଅନ୍ତର୍ଗତ କିଟ୍ ବିଶ୍ୱବିଦ୍ୟାଳୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପଞ୍ଜିକୃତ ହୋଇଛି। ଏହା ସମ୍ବିଧାନର ଧାରା ଅନ୍ତର୍ଗତ ସ୍ଥାପନ ହୋଇନି କିମ୍ବା ସଂସଦ କି ରାଜ୍ୟ ବିଧାନସଭାର ଆଇନ ଅନୁସାରେ ମଧ୍ୟ ସ୍ଥାପନ ହୋଇନି। ତେଣୁ କିଟ୍ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ।

ମାତ୍ର ଆବେଦନକାରୀ ଯୁକ୍ତି ରଖିଥିଲେ ଯେ, କିଟ୍ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ସରକାରଙ୍କାଠାରୁ ଅନୁଦାନ ଗ୍ରହଣ କରିଛି। ଉଭୟ ପକ୍ଷକୁ ଶୁଣିବା ପରେ ଶେଷରେ କମିସନ ତାଙ୍କ ରାୟରେ କହିଥିଲେ ଯେ, ସରକାର ଓ ଅନ୍ୟାନ୍ୟ ସଂସ୍ଥାଠାରୁ ଅନୁଦାନ ପାଉଥିବା ଅନୁଷ୍ଠାନ ନିଶ୍ଚିତ ଭାବେ ପବ୍ଲିକ୍ ଅଥରିଟି ବା ସାର୍ବଜନୀନ ଭାବେ କାର୍ଯ୍ୟ କରୁଛି। ତେଣୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସରକାରଙ୍କଠୁ କିଟ୍‌ ଅନୁଦାନ ପାଉଥିବାରୁ ଏହା ସୂଚନା ଅଧିକାର ଆଇନର ସେକ୍ସନ ୨(ଏଚ୍) (ଡି) (ଆଇଆଇ) ଅନୁସାରେ ଏକ ସାର୍ବଜନୀନ ଅନୁଷ୍ଠାନ। ତେଣୁ କିଟ୍‌ ସୂଚନା ଅଧିକାର ଆଇନ ପରିସରଭୁକ୍ତ ଅଟେ।

ଏଥିସହ ସୂଚନା ଅଧିକାର ଆଇନ ଆଧାରରେ କିଟ୍‌ କର୍ତ୍ତୃପକ୍ଷ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ସେ ମାଗିଥିବା ତଥ୍ୟ ଦେବାକୁ ରାଜ୍ୟ ମୁଖ୍ୟ ସୂଚନା କମିସନ ସୁନିଲ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

Comment