କପିଳାସ ଭୂୟାଁ

ଭୁବନେଶ୍ଵର ‘କିସ’ କ୍ୟାମ୍ପସଠାରେ ଏକ ସପ୍ତାହ ଧରି ଚାଲିଥିବା ଚିତ୍ରକଳାର ବୃହତ୍ତମ କର୍ମଶାଳା ଶୁକ୍ରବାର ଶେଷ ହୋଇଯାଇଛି। ସ୍ଵାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ନୂଆଦିଲ୍ଲୀସ୍ଥିତ ‘ନ୍ୟାସନାଲ ଗ୍ୟାଲେରୀ ଫର ମଡର୍ଣ୍ଣ ଆର୍ଟ୍ସ’ ଆନୁକୁଲ୍ୟରେ ଏହି ସର୍ବ-ବୃହତ୍ତମ ଚିତ୍ରକଳା ମହୋତ୍ସବ ଆୟୋଜିତ ହୋଇଥିଲା। ଉଲ୍ଲେଖନୀୟ କି ଏହା ଥିଲା ଜାତୀୟ ସ୍ତରରେ ସ୍ଵାଧୀନତା ଦିବସ ପାଳନର ପ୍ଲାଟିନମ ଜୁବୁଲି ଆଜାଦୀ କା ଅମୃତ ମହୋତ୍ସବର ଅଂଶ ବିଶେଷ।ଏହି ବୃହତ୍ତମ ଚିତ୍ରକଳା କର୍ମଶାଳାରେ ଦେଶର ପୂର୍ବାଞ୍ଚଳସ୍ଥିତ ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରୁ ୨୫୦ ଜଣ ସମସାମୟିକ ଓ ପାରମ୍ପରିକ ଚିତ୍ରଶିଳ୍ପୀ ସେମାନଙ୍କ ଚିତ୍ରକଳା ମାଧ୍ୟମରେ ସ୍ଵାଧୀନତା ସଂଗ୍ରାମର ଏକାଧିକ ଅଭୂଲା ଅଧ୍ୟାୟ ଏବଂ ବିସ୍ମୃତ ଉପାଖ୍ୟାନକୁ ବର୍ଣ୍ଣନା କରିଛନ୍ତି। ଯେଉଁ ସବୁ ପାରମ୍ପରିକ ତଥା ଐତିହସମ୍ପର୍ଣ୍ଣ ଚିତ୍ରକଳା ମାଧ୍ୟମକୁ ବ୍ୟବହାର କରାଯାଇଛି ସେଗୁଡ଼ିକ ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ସେଗୁଡିକର ପୁନଃପ୍ରଚଳନର ଜରୁରୀ ଆବଶ୍ୟକତା ରହିଛି। କହିବାକୁ ଗଲେ ଏହି ‘କଳା କୁମ୍ଭ’ ନିଶ୍ଚୟ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି।

ଭୁବନେଶ୍ଵରସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘କିଟ’ ଓ ‘ସିଲିକନ’ ସହଭାଗିତାରେ ଅନୁଷ୍ଠିତ ଏହି ଜାତୀୟ ସ୍ତରର କଳା କର୍ମଶାଳା ମାଧ୍ୟମରେ ଓଡ଼ିଶାର ପଟ୍ଟଚିତ୍ର, ତାଳପତ୍ର ଚିତ୍ର ଓ ଝୋଟି ଶିଳ୍ପୀ, ପଶ୍ଚିମ ବଙ୍ଗର ମିଦିନାପୁର ଓ କାଳୀଘାଟ ଏବଂ ସେଗୁଡ଼ିକର ହୁଗୁଳି ଓ ବୀରଭୂମ ତଥା ବାଙ୍କୁଡା ଓ ବର୍ଦ୍ଧମାନ ଶୈଳୀରେ ଆଙ୍କୁଥିବା ପଟ୍ଟଚିତ୍ର ଶିଳ୍ପୀ, ବିହାରର ମଞ୍ଜୁଷା ଓ ମଧୁବନି ଚିତ୍ରଶିଳ୍ପୀ, ଝାଡ଼ଖଣ୍ଡର ଜାଦୁ ପଟିଆ ଏବଂ ଫସଲ ଅମଳ ବେଳର ସୋହାରୀ ଚିତ୍ରକଳା ଶୈଳୀରେ ଆଙ୍କୁଥିବା ସାନ୍ତାଳ, ମୁଣ୍ଡା, ଓରାଓଁ ଓ ପ୍ରଜାପତି ଆଦି ଚିତ୍ରଶିଳ୍ପୀ, ଛତିଶଗଡ଼ର ପିଥୋରା ଓ ମିରୁଆ ଶୈଳୀରେ ଆଙ୍କୁଥିବା ଚିତ୍ରଶିଳ୍ପୀ ତଥା ପ୍ରାକୃତିକ ରଙ୍ଗ ଓ ବଳିତାକୁ ତୁଳି କରି ପାରମ୍ପରିକ ମଛିଲିପଟ୍ଟନମ ଶୈଳୀରେ ଆଙ୍କୁଥିବା ଶିଳ୍ପୀମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରାଯାଇଛି। ଏହା ନିଶ୍ଚୟ ଅତ୍ୟନ୍ତ ପ୍ରସଂଶନୀୟ ଉଦ୍ୟମ।ଉଲ୍ଲେଖନୀୟ କି ଚିତ୍ରକଳାର ଭାଷା ହେଉଛି ଭାବ ବ୍ୟକ୍ତ କରିବା ପାଇଁ ସର୍ବାଧିକ ଶକ୍ତିଶାଳୀ ମାଧ୍ୟମ। ତେଣୁ ଚିତ୍ର-ଭାଷା ବ୍ୟବହାର କରି ଜାତୀୟ ସ୍ତରୀୟ ଏହି ଆୟୋଜନ ମାଧ୍ୟମରେ ସ୍ଵାଧୀନତା ସଂଗ୍ରାମ କାଳର ତ୍ୟାଗ ଓ ବଳିଦାନ ବିଷୟରେ ସାଧାରଣ ଜନତା, ବିଶେଷ କରି ସ୍ୱାଧୀନତାର ପଚାଶ ବର୍ଷ ପରେ ଜନ୍ମ ହୋଇଥିବା ଯୁବ ପିଢ଼ି ଉପରେ ଗଭୀର ରେଖାପାତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିବା କିଛି ଭୁଲ ହେବ ନାହିଁ।

[ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦେଶକ]

Comment