ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ରୀଡ଼ାବିତମାନଙ୍କୁ ରାଷ୍ଟ୍ରୀୟ କ୍ରୀଡ଼ା  ପୁରସ୍କାର ପ୍ରଦାନ କରିଛନ୍ତି। ଏକମାତ୍ର ଖେଳାଳି ଭାବରେ ଟେବଲ ଟେନିସ ତରକା ଅଚନ୍ତା ଶରଥ କମଲଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ଅନ୍ୟ ୨୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ପୁରସ୍କାର ବିଜେତାଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍‌, ଏକ ତାମ୍ର ମୂର୍ତ୍ତି ଓ ମାନପତ୍ର ପ୍ରଦାନ କରିଥିଲେ ରାଷ୍ଟ୍ରପତି। ଭାରତୀୟ କ୍ରୀଡ଼ାରେ ଅବଦାନ ରଖିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା।

ମହିଳା ହକି ଖେଳାଳି ତଥା ଏକମାତ୍ର ଓଡ଼ିଆ ଭାବରେ ଦୀପ୍‌ଗ୍ରେସ ଏକ୍କା ଅର୍ଜୁନ ପୁରସ୍କାର ତାଲିକାରେ ରହିଛନ୍ତି। ଦୀପ୍‌ଗ୍ରେସ ଭାରତୀୟ ମହିଳା ହକି ଦଳ ସହିତ ଏଫ୍‌ଆଇଏଚ୍‌ ଓମେନ୍ସ ନେସନ୍ସ କପ୍‌ ଖେଳିବା ପାଇଁ ସ୍ପେନ୍‌ରେ ଥିବାରୁ ପୁରସ୍କାର ଗ୍ରହଣ କରିପାରି ନଥିଲେ।

ଏହି ସମାରୋହରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତିଙ୍କଠାରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ କିଟ୍‌ର ସମସ୍ତ ଛାତ୍ର ଏବଂ ସଦସ୍ୟମାନଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି।

“ଶିକ୍ଷା ସହ କିଟ୍‌ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ଆସିଛି। କ୍ରୀଡ଼ା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ସାହ ଓ ସମର୍ଥନ ମଧ୍ୟ କିଟ୍‌କୁ ପ୍ରୋତ୍ସାହିତ କରିଛି। ଓଡ଼ିଶା କ୍ରୀଡ଼ାକୁ ଭିନ୍ନ ଏକ ସ୍ତରକୁ ନେବା ଆମର ମୁଖ୍ୟ ଲକ୍ଷ୍ୟ।”, କହିଛନ୍ତି ଅଚ୍ୟୁତ ସାମନ୍ତ।

Tags: #Nationalsportsawards #PresidentofIndia #DeepgraceEkka #KIIT #Sports

Comment