ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘କିଟ୍ ଓ କିସ୍’ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍ ର ପ୍ରତିଷ୍ଠାତା ଭର୍ଚୁଆଲ ମୋଡରେ ଯୋଗଦେଇ, ‘କିଟ୍ ଓ କିସ୍’ର ମହିଳା କର୍ମଚାରୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ ଘୋଷଣା କରିଛନ୍ତି ।

“ମହିଳାମାନେ ଯେତିକି ସଶକ୍ତ ହେବେ, ଦେଶ ଓ ରାଜ୍ୟ ସେତିକି ପ୍ରଗତି କରିବ। ‘କିଟ୍ ଓ କିସ୍’ର ଅଗ୍ରଗତି ଦିଗରେ ମହିଳା କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ମହିଳାମାନଙ୍କୁ ଅଧିକ ନିଯୁକ୍ତି ଓ ଉଚ୍ଚପଦବୀରେ କାର୍ଯ୍ୟ କରିବାର ସୁଯୋଗ ଦିଆଯାଉଛି। ଏଥିସହ ସମସ୍ତ ମହିଳା କର୍ମଚାରୀଙ୍କୁ ମାଗଣାରେ ଟିକା ଦିଆଯିବ”, କହିଥିଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

‘କିଟ୍ ଓ କିସ୍’ ପକ୍ଷରୁ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଭାରତୀୟ ସଂଘର ସାଧାରଣ ସମ୍ପାଦକ ତଥା ଭାରତୀୟ ସ୍କାଉଟ ଓ ଗାଇଡର ରାଷ୍ଟ୍ରୀୟ କମିସନର-ରେଞ୍ଜରସ ଡ. ପଙ୍କଜ ମିତ୍ତଲ କହିଥିଲେ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲାଯାଇଥିବାରୁ ଅଧିକ ଛାତ୍ରୀ ଶିକ୍ଷାଲାଭ କରିବାର ସୁଯୋଗ ପାଉଛନ୍ତି । ମହିଳାମାନଙ୍କୁ ସଶକ୍ତିକରଣ ଓ ସଚେତନତା କରିବା ଆବଶ୍ୟକ। ବର୍ଷରେ ଗୋଟିଏ ଦିନ ମହିଳା ଦିବସ ପାଳନ ନକରି, ବର୍ଷତମାମ ଏହାର ତାପ୍ତର୍ଯ୍ୟକୁ କାର୍ଯ୍ୟକାରୀ କରିବା ଉଚିତ।

ଏହି ଦିବସ ଅବସରରେ କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ମହିଳାଙ୍କ ଶିକ୍ଷା, ସଚେତନତା ଓ ସୁଯୋଗ ଉପରେ ଆଲୋଚନା କରିଥିଲେ।

Comment