ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ ଓ କିସ୍‌ର ଅନନ୍ୟ ପ୍ରୟାସ ‘କନ୍ୟା କିରଣ’ ପକ୍ଷରୁ ରବିବାର ରାଜ୍ୟର ୩୪ଟି ସ୍ଥାନରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା। ଏହି ଅବସରରେ କନ୍ୟା କିରଣର ବିଷୟବସ୍ତୁ ‘ସମାଜରେ ସମାନତା ପାଇଁ ବାଳିକାମାନଙ୍କୁ ଶିକ୍ଷିତ କରିବା’ ( Educating Girl Child for Building an Equitable Society) ଉପରେ କିଟ୍‌ରେ ଏକ ଭର୍ଚୁଆଲ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରଜ୍ୱଳାର ପ୍ରତିଷ୍ଠାତା ଡକ୍ଟର ସୁନୀତା କ୍ରିଷ୍ଣନ, ସମ୍ପର୍କର ମୁଖ୍ୟ ତଥା ଆଇଆଇଏମ୍‌ ଅହମ୍ମଦାବାଦର ସହାୟକ ପ୍ରଫେସର ଡକ୍ଟର ସ୍ମିତା ପ୍ରେମଚନ୍ଦର, ବିଶିଷ୍ଟ ଡେଭଲୋପମେଣ୍ଟ ପ୍ରଫେସନାଲ ସୂର୍ଯ୍ୟମଣି ରାଉଳ ଓ ଦୌଡ଼ରାଣୀ ତଥା କିଟ ଛାତ୍ରୀ ଦୂତୀ ଚାନ୍ଦ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ ମହିଳା ଓ ପୁରୁଷଙ୍କ ପାଇଁ ଗୋଟିଏ ସମାନ ସମାଜ ଗଠନ କରିବା ଉପରେ ଆଲୋଚନା କରିଥିଲେ।

‘‘ଶିକ୍ଷା ମଧ୍ୟମରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ସମାନ ସମାଜ ଗଠନ କରାଯାଇପାରିବ। ଯେଉଁଠି ପତ୍ୟେକ ବ୍ୟକ୍ତି ନିଜର ସ୍ୱପ୍ନକୁ ସାକାର କରିପାରିବେ’’, କହିଥିଲେ ଡକ୍ଟର ସୁନୀତା କ୍ରିଷ୍ଣନ।

‘‘ପୁରୁଷ କୈନ୍ଦ୍ରୀକ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି ତାକୁ ଭାଙ୍ଗିବା ଶିକ୍ଷାର ଲକ୍ଷ ହେବା ଉଚିତ। ସଶକ୍ତିକରଣର ଅସ୍ତ୍ରଭାବେ ଶିକ୍ଷା ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ’’, କହିଥିଲେ ଡକ୍ଟର ସ୍ମିତା ପ୍ରେମଚନ୍ଦର।

‘‘ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି। ଜ୍ଞାନ, ଦକ୍ଷତା, ମନୋବୃତ୍ତିରେ ସମନ୍ୱୟ ଆଣିବା ପାଇଁ ନୀତି ନିର୍ଦ୍ଧାରଣ ଆବଶ୍ୟକତା ରହିଛି’’, କହିଥିଲେ ସୂର୍ଯ୍ୟମଣି ରାଉଳ।

”ଶିକ୍ଷା ମାଧ୍ୟମରେ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ଏବଂ ମହିଳାଙ୍କ ସୁରକ୍ଷା ଦିଗରେ କନ୍ୟା କିରଣ ହେଉଛି କିଟ ଓ କିସ୍‌ର ଅନନ୍ୟ ପ୍ରୟାସ। ଶିକ୍ଷାବିନା କନ୍ୟା ସନ୍ତାନ ଓ ମହିଳାଙ୍କ ସଶକ୍ତିକରଣ କଥା ଚିନ୍ତା କରାଯାଇନପାରେ। ଶିକ୍ଷା ହିଁ କନ୍ୟା ସନ୍ତାନଙ୍କ ତୃତୀୟ ନୟନ’’, କହିଥିଲେ କିଟ୍‌ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଏଚ୍ କେ ମହାନ୍ତି, କିସ୍‌ର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିଟର କୁଳ ସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ସାମିଲ ହୋଇଥିଲେ।

ଏହି ଅବସରରେ ବିଭନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଅଭିଲିପ୍ସା ଭୋଳ, ସୁଶ୍ରୀ ଦିବ୍ୟଦର୍ଶିନୀ, ଯଶୋଦା ପାଣ୍ଡେ ଏବଂ ସରିତା କୋଲାକାଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ୨୦୨୦ରେ ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲା ସ୍ତରର ଟପ୍ପର ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଅନ୍ୟ ବାଳିକାମାନଙ୍କୁ ପ୍ରତ୍ୟେକ ଜିଲ୍ଲାରେ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।

Comment