ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ତଥା ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ (କିସ୍‌) ଓ ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ସୋମବାର କିସ୍‌ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଏଫ୍‌ଆଇଭିବି ସଭାପତି ଆରି ଗ୍ରାକା ସୁଇଜରଲାଣ୍ଡରେ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‌ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। କୌଣସି ଶିକ୍ଷାନୁଷ୍ଠାନ ସହ ଏଫଆଇଭିବିର ଏଭଳି ବୁଝାମଣା ହେବାରେ କିସ୍‌ ବିଶ୍ୱର ପ୍ରଥମ ଅନୁଷ୍ଠାନ।

କିସ୍‌ ଓ ଏଫଆଇଭିବି ମିଳିତ ଭାବେ ଭାରତ ଓ ଦକ୍ଷିଣ ଏସିଆରେ ବିଦ୍ୟାଳୟସ୍ତରରେ ଭଲିବଲର ପ୍ରସାର ଲକ୍ଷ୍ୟରେ କାର୍ଯ୍ୟ କରିବେ। ଏହା ସହିତ କିସ୍‌ ଭଲିବଲ ତାଲିମ୍‌ ଓ ଅନ୍ୟ କ୍ରୀଡ଼ା ସମ୍ପର୍କିତ ଶିକ୍ଷା ସୁବିଧାର ନଲେଜ ହବରେ ପରିଣତ ହେବ। ଏଫ୍‌ଆଇଭିବି ଭଲିବଲ ପାଇଁ ସମସ୍ତ କ୍ରୀଡ଼ା ଉପକରଣ ଯୋଗାଇ ଦେବ। କିସ୍‌କୁ ନୋଡାଲ୍‌ ଏଜେନ୍ସି କରାଯାଇଥିବାରୁ ଆରି ଗ୍ରାକା ଓ ଅନ୍ତର୍ଜାତୀୟ ଭଲିବଲ ସଂଘକୁ ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଥିଲେ।

“ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ ଓ ବିଚ୍‍ ଭଲିବଲର ପ୍ରସାର ନିମନ୍ତେ କିସ୍‍ ସହ ମିଶି କାମ କରିବାର ସୁଯୋଗ ମିଳିବ। ଏହି ଉଦ୍ୟମ ଦ୍ୱାରା ଭଲିବଲ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶ ଓ ବିଶେଷ କରି ପିଲାମାନଙ୍କୁ ଏକାଠି କରାଯାଇପାରିବ। କ୍ରୀଡ଼ା କ୍ଷେତ୍ରରେ କିସ୍ ସଂସ୍ଥାର ଅବଦାନ ଅତୁଳନୀୟ” କହିଛନ୍ତି ଅନ୍ତର୍ଜାତୀୟ ଭଲିବଲ୍‌ ସଙ୍ଘର ସଭାପତି ଆରି ଗ୍ରାକା।

ଚଳିତବର୍ଷ ସେପ୍ଟେମ୍ବର ମାସରେ ନେଦରଲାଣ୍ଡରେ ଅନ୍ତର୍ଜାତୀୟ ଭଲିବଲ୍‌ ସଙ୍ଘର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ, ବିଶେଷ କରି ଓଡ଼ିଶାରେ ଭଲିବଲର ପ୍ରସାର ଏବଂ କିସ୍‍କୁ ଏଫ୍‍ଆଇଭିବି ଭଲିବଲ ଫର ସ୍କୁଲ ନୋଡାଲ୍‍ ଏଜେନ୍‍ସୀ କରିବା ପାଇଁ ଅଚ୍ୟୁତ ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ। ଏବେ କିସ୍‌କୁ ନୋଡାଲ୍‌ ଏଜେନ୍ସି କରାଯାଇଥିବାରୁ ଓଡ଼ିଶା ତଥା ଦେଶରେ ଭଳିବଲର ପ୍ରସାର ଦିଗରେ ଗୁରୁତ୍ୱ ଦିଆଯିବ।

Tags: #volleyball #MoU #KISS #Internationalvolleyballfederation #Nodalagency

Comment