ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏହି ମେଗା ଇଭେଣ୍ଟରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକରୁ ଓଡ଼ିଶା ପାଇଁ ୭ ଲକ୍ଷ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ନିବେଶ ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର।

ଆଦାନୀ ଗ୍ରୁପ ଆସନ୍ତା ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୬୦,୦୦୦ କୋଟି ଟଙ୍କା ନିବେଶକ କରିବ। ସେହିପରି ଜେଏସଡବ୍ଲ୍ୟୁ ୧ ଲକ୍ଷ କୋଟି, ବେଦାନ ୨୫ ହଜାର କୋଟି ଏବଂ ଟାଟା ପାଓ୍ଵାର ୬ ହଜାର କୋଟି ଟଙ୍କା ନିବେଶ କରିବ।

ଓଡ଼ିଶାର ଶିଳ୍ପ ଅନୁକୂଳ ନୀତି, ମଜଭୁତ ଭିତ୍ତିଭୂମି ଏବଂ ସ୍ଥିର ସରକାର ଶିଳ୍ପପତିମାନଙ୍କୁ ଆକର୍ଷିତ କରିଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ଵିତୀୟ ଦିନର ପ୍ରଥମ କାର୍ଯ୍ୟ ଦିବସରେ ୨୧ଟି ନିବେଶ ସମ୍ପର୍କୀତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଏହି ଅବସରରେ ରାଜ୍ୟ ସରକାର ମୋଟ ୬୭ଟି ନିବେଶପତ୍ର ଗ୍ରହଣ କରିଛନ୍ତି। ୬୭ଟି କ୍ଷେତ୍ରରୁ ମୋଟ ୫,୮୫,୭୪୨.୨୬ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହା ଦ୍ଵାରା ୨ଲକ୍ଷ ୪୭ ହଜାର ୮୪୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ରାଜ୍ୟ ସରକାର ଗତ ୬ ମାସ ମଧ୍ୟରେ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ଦେଶର ବିଭିନ୍ନ ସହରରେ ରୋଡ ସୋ’ କରିଥିଲେ।  ଏହି ରୋଡ ସୋ’ରୁ ୭୮ଟି ନିବେଶ ପ୍ରତିଶ୍ରୁତି ଆସିଥିବା ସ୍ପଷ୍ଟ ହୋଇଛି। ଏଥିରେ ୧ ଲକ୍ଷ ୪୦ ହଜାର ୩୮୬ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଛି। ଏହା ଦ୍ଵରା ୭୨ ହଜାର ୮୪୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହିସବୁ କ୍ଷେତ୍ରରୁ ମୋଟ ୭,୨୬,୧୨୮.୪୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଥିବା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଛନ୍ତି।

ପ୍ଲିନାରି ସେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେରଓ୍ଵେ, ଜାପାନ, ଜର୍ମାନୀ ଓ ନେପାଳର ବୈଦଶିକ ପ୍ରତିନିଧିମାନଙ୍କ ସମେତ ଭାରତର ୪୦ ଜଣ ପ୍ରମୁଖ ଶିଳ୍ପପତିଙ୍କ ସହ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅଧିବେଶନରେ ୫୪ ଜଣ ପ୍ରମୁଖ ଶିଳ୍ପପତି ଉପସ୍ଥିତ ଥିଲେ ଏବଂ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨,୦୦୦ ଊର୍ଦ୍ଧ୍ଵ ଉଦ୍ୟୋଗୀ ଯୋଗ ଦେଇଥିଲେ। ଦ୍ଵିତୀୟ ଦିନର ପ୍ରଥମ କାର୍ଯ୍ୟ ଦିବସରେ ମୋଟ ୧୩ଟି ଅଧିବେଶନ ହୋଇଥିଲା। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ଏଥିରେ ଜାପାନ, ଜର୍ମାନୀ, ନେରଓ୍ଵେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ ଓ ଥାଇଲାଣ୍ଡ ଆଦି ଦେଶ ସାମିଲ ହୋଇଛନ୍ତି।

Tags: #MakeInOdishaConclave2022 #PlenarySession #BusinessLeaders #Odisha #CMO #NaveenPatnaik #MOU

Comment