ଓଡ଼ିଶାଲାଇଭ୍ ବ୍ୟୁରୋ

ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୟୁନେସ୍କୋର ତରଫରୁ କରାଯାଉଛି ‘ଫିଟ୍ ଫର ଲାଇଫ୍’ କାର୍ଯ୍ୟକ୍ରମ। ଖୁବଶୀଘ୍ର ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଛି। ଏଥିଲାଗି ୟୁନେସ୍କୋ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କିସ୍ ମଧ୍ୟରେ ଶୁକ୍ରବାର ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।

ଲୋକମାନଙ୍କର ଶାରୀରୀକ ନିଷ୍କ୍ରିୟତା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଅସମାନତା ଆଦି ସମସ୍ୟାର ମୁକାବିଲା କରି ଏକ ସୁସ୍ଥ ଓ ଚଳଚଞ୍ଚଳ ସମାଜ ଗଢ଼ିବା ଏହି ‘ଫିଟ୍ ଫର ଲାଇଫ୍’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

“ରାଜ୍ୟରେ ଯୁବଗୋଷ୍ଠୀଙ୍କ କ୍ରୀଡ଼ା ଓ ଭବିଷ୍ୟତକୁ ଲକ୍ଷ୍ୟ ରଖି କ୍ରୀଡ଼ା ଓ ଯୁବସେବା ବିଭାଗ କାମ କରୁଛି। ଏଥିଲାଗି ଖେଳାଳି ଓ ଯୁବଗୋଷ୍ଠୀଙ୍କ ଶାରିରୀକ ଓ ମାନସିକ ଫିଟ୍‍ନେସ୍‍କୁ ଆମେ ସବୁବେଳେ ଗୁରତ୍ଵ ଦେଉଛୁ। ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, କିସ୍ ଓ ୟୁନେସ୍କୋର ମିଳିତ ସହଯୋଗରେ ରାଜ୍ୟରେ ହେବାକୁ ଥିବା ‘ଫିଟ୍ ଫର ଲାଇଫ୍’ କାର୍ଯ୍ୟକ୍ରମ ଆହୁରି ସହାୟତା କରିବ”,କହିଛନ୍ତି କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା।

 

ଏହି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍‍ ଭିନିଲକ୍ରୀଷ୍ଣା, ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ସାମାଜିକ ଓ ମାନବିକ ବିଜ୍ଞାନ ବିଭାଗ ମୁଖ୍ୟ ଅନସଙ୍ଗ କିମ୍‍, କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ।

Tags: #FitForLife #PhysicalandMentalHealth #UNESCO #DeptofSportsandYouthServices #KISS #Bhubaneswar #Odisha

Comment