ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟର ମେହସାଣା ଜିଲ୍ଲାରେ ଏକ ଫ୍ରେଞ୍ଚ୍‌ ଫ୍ରାଇଜ୍‌ (ଆଳୁ ଚିପ୍ସ) ଶିଳ୍ପ ପ୍ରତିଷ୍ଠା କରିବ ଫାଲକନ ଗ୍ରୁପ୍‌। ଏନେଇ ସୋମବାର ଦିନ ଗୁଜରାଟ ସରକାରଙ୍କ ସହିତ ଫାଲକନ୍‌ ଗ୍ରୁପ୍‌ ଏମଓୟୁ ସ୍ୱାକ୍ଷର କରିଛି। ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଫାଲକନ୍‌ ଗ୍ରୁପ୍‌ ପକ୍ଷରୁ ୧୦୫୦ କୋଟି ଟଙ୍କା ନିବେଶ କରାଯିବ।

ଫାଲକନ ଗ୍ରୁପର ନିର୍ଦେଶକ ପାର୍ଥଜିତ ପଟ୍ଟନାୟକ ଗୁଜରାଟ ସରକାରଙ୍କ ସହିତ ଏହି ଏମଓୟୁ ସ୍ଵାକ୍ଷର କରିଥିଲେ। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ।

“ମେହସାଣା ଜିଲ୍ଲାରେ ଏହି ଶିଳ୍ପ ପ୍ରତିଷ୍ଠା ହେଲେ ପ୍ରାୟ ୧ ହଜାର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ। ତା’ଛଡ଼ା ୪ ହଜାର ଚାଷୀଙ୍କ ପାଇଁ ଜୀବିକାର ଏକ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହି କମ୍ପାନିରୁ ପ୍ରସ୍ତୁତ ହେବାକୁ ଥିବା ଫ୍ରେଞ୍ଚ୍‌ ଫ୍ରାଇଜକୁ ବିଦେଶକୁ ମଧ୍ୟ ରପ୍ତାନି କରାଯିବ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଛଡ଼ା ଆମେ ଆଗକୁ କେମିକାଲ୍ କମ୍ପାନି ଖୋଲିବାକୁ ଲକ୍ଷ୍ୟ ରଖିଛୁ”, କହିଛନ୍ତି ପାର୍ଥଜିତ ପଟ୍ଟନାୟକ।

ଏହି ଏମଓୟୁ ସ୍ଵାକ୍ଷର ବେଳେ ଗୁଜରାଟର ଶିଳ୍ପ ମନ୍ତ୍ରୀ ବଲୱନ୍ତ ସିଂ ଚନ୍ଦନ ସିଂ ରାଜପୁତ, ଗୁଜରାଟର ମୁଖ୍ୟ ଶାସନ ସଚିବ ରାଜ କୁମାର, ଫାଲକନ ଗ୍ରୁପର ତାରା ରଞ୍ଜନ ପଟ୍ଟନାୟକ ଏବଂ ଜିତେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଫାଲକନ ଗ୍ରୁପ୍ ଓଡ଼ିଶାର ଏକ ଜଣାଶୁଣା କମ୍ପାନି। ଏହି ଗ୍ରୁପ୍ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହ ଅନେକ ଦିନ ଧରି ଜଡ଼ିତ। ଫାଲକନ ମେରାଇନ ଏକ୍ସପୋର୍ଟ୍ସ ମାଧ୍ୟମରେ ଓଡ଼ିଶାରୁ ସମୁଦ୍ର ଚିଙ୍ଗୁଡ଼ି, କଙ୍କଡ଼ା ଆଦି ବିଦେଶକୁ ରପ୍ତାନି କରାଯାଉଛି। ଏହାଛଡ଼ା ଏହି ଗ୍ରୁପ୍‌ ‘ଫାଲକନ ଚିଲିକା ଫ୍ରେସ’ ନାମରେ ଓଡ଼ିଶାର ବିଭିନ୍ନ ସହରରେ ସି-ଫୁଡ୍‌ ବିକ୍ରି କରୁଅଛି।

Tags: #FalconGroup #FalconMarineExports #FrenchfriesFactory #MOU #Gujrat

LEAVE A REPLY

Please enter your comment!
Please enter your name here