ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୫ରୁ କିଟ୍ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଅନୁଷ୍ଠିତ ହେବା ଭାରତୀୟ ଭଲିବଲ ସଂଘ (ଭିଏଫ୍‍ଆଇ) ତତ୍ତ୍ୱାବଧାନରେ ମାର୍ଚ୍ଚ ୫ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ ହେବ। ଭାରତୀୟ ଭଲିବଲ୍‍ ଇତିହାସରେ ଓଡ଼ିଶା ରାଜ୍ୟ ଭାବେ ପ୍ରଥମ ଥର ଲାଗି ଲଗାତାର ଦୁଇଥର ଏହି ଚାମ୍ପିଅନସିପ ଆୟୋଜନ କରୁଛି। ଏହାର ସମସ୍ତ ମ୍ୟାଚ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି।

ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍‍ (ମହିଳା ଓ ପୁରୁଷ) ଚାମ୍ପିଅନସିପ ମଧ୍ୟ ଗତବର୍ଷ କିଟ୍‍ରେ ଆୟୋଜନ କରାଯାଇଥିଲା।

ପୂର୍ବରୁ ୨୦୦୯ରେ ଓଡ଼ିଶା ୩୬ତମ ଜାତୀୟ ଭଲିବଲ ଚାମ୍ପିଅନସିପ ଆୟୋଜନ କରିବାର ସୁଯୋଗ ପାଇଥିବା ବେଳେ ୨୦୧୯ରେ ୪୧ତମ ଉପବରିଷ୍ଠ ଭଲିବଲ ଚାମ୍ପିଅନସିପ ଓ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ (ପୁରୁଷ ଓ ମହିଳା) ୨୦୧୯-୨୦ ଆଦି ୩ଟି ଗୁରୁତ୍ୱପୂର୍ଣ୍ଣ ଭଲିବଲ ଚାମ୍ପିଅନସିପ ଆୟୋଜନ କରିବାର ସୁଯୋଗ ପାଇଥିଲା। ସମସ୍ତ ଚାମ୍ପିଅନସିପ କିଟ୍‍ ଷ୍ଟାଡିଅମରେ ହିଁ ଅନୁଷ୍ଠିତ ହୋଇଥିଲା।

ମାର୍ଚ୍ଚ ୫ରୁ ହେବାକୁ ଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପରେ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଯୋଗଦେବେ। ଏଥିରେ ବହୁ ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ମଧ୍ୟ ଅଂଶଗ୍ରହଣ କରିବେ। ଏହି ଚାମ୍ପିଅନସିପ ଜରିଆରେ ନିକଟରେ ହେବାକୁ ଥିବା ଏସିଆନ ଚାମ୍ପିଅନସିପ ଓ ଅନ୍ୟ ଆନ୍ତର୍ଜାତିକ ମିଟରେ ଯୋଗଦେବା ପାଇଁ ଖେଳାଳି ଚୟନ କରାଯିବ।

ଭାରତୀୟ ଭଲିବଲ୍‍ ଦଳର କୋଚ୍‍, ଅର୍ଜୁନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଜି ଇ ଶ୍ରୀଧରନ୍‍, ଅର୍ଜୁନ ପୁରସ୍କାର ବିଜେତା ଡକ୍ଟର ଦଲେଲ୍‍ ସିଂହ ଓ ଡକ୍ଟର ଜଗିର ସିଂହ ରନ୍ଧୱା ଆଦିଙ୍କୁ ନେଇ ଗଠନ କରାଯାଇଥିବା ପୁରୁଷ ଭଲିବଲ୍‍ ଚୟନ କମିଟି ଖେଳାଳି ଚୟନ କରିବେ। ସେହିପରି ଭାରତୀୟ ମହିଳା ଭଲିବଲ୍‍ ଚୟନ କମିଟିରେ ସ୍ପୋର୍ଟସ ଅଥରିଟି ଅଫ୍‍ ଇଣ୍ଡିଆର ଅଜୟ ଜଙ୍ଗରା, ଦଲଜୀତ ସିଂହ ଓ ଭାରତୀୟ ଭଲିବଲ୍‍ ମହିଳା ଦଳର କୋଚ ବୈଶାଳୀ ଫଡତାରେ ପ୍ରମୁଖ ସଦସ୍ୟ ରହିଛନ୍ତି।

ଦ୍ରୋଣାଚାର୍ଯ୍ୟ ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରକାଶ ରାୟ ଏବଂ ଏ. ରାମଣ ରାଓ ଉଭୟ ଚୟନ କମିଟିର ସଂଯୋଜକ ଅଛନ୍ତି। ସଂପୂର୍ଣ୍ଣ ଚାମ୍ପିଅନସିପ ଓଡ଼ିଶା ସରକାରଙ୍କ କୋଭିଡ୍‍ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଇ ଆୟୋଜନ କରାଯାଉଛି। ଭିଏଫଆଇ ସଭାପତି ଅଚ୍ୟୁତ ସାମନ୍ତଙ୍କ ଅନୁମତି କ୍ରମେ ଜମ୍ମୁ ଓ କାଶ୍ମୀରର ଲଦାଖ ଦଳ ପ୍ରଥମର ଥର ପାଇଁ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଛି।

ଉଦଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଉଥିବା ବେଳେ କ୍ରୀଡ଼ା ଓ ଯୁବସେବା ଏବଂ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଭିଏଫଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍‍ ଆଡମିନିଷ୍ଟ୍ରେସନ ସଦସ୍ୟ ତଥା ଭିଏଫଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ଭିଏଫ୍‍ଆଇର ମହାସଚିବ ଅନୀଲ ଚୌଧୁରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭିଏଫଆଇର ସଭାପତି ଅଚ୍ୟୁତ ସାମନ୍ତ ଉଦ୍‍ଘାଟନୀ ଉତ୍ସବରେ ସଭାପତିତ୍ୱ କରିବେ। ଏହି ଅବସରରେ ସେ ଚାମ୍ପିଅନ୍‍ସିପ୍‍ର ସମସ୍ତ ଖେଳାଳି, କୋଚଙ୍କୁଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିବେ।

Comment