ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହା ଅଧୀନରେ ଚାଲିଥିବା ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗାଁଠୁ ସହର ସବୁଠି ଉଡ଼ିଛି ଜାତୀୟ ପତାକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲାରୁ ନବମ ଥର ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ବିଦେଶରେ ଥିବା ଭାରତୀୟଙ୍କ ସୁଖ ସମୃଦ୍ଧି କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ସ୍ଵପ୍ନ ପୂର୍ଣ୍ଣ କରିବା ଲାଗି ମୁଁ ନିଜକୁ ସମର୍ପିତ କରିଛି। ଗାନ୍ଧୀ ଜୀଙ୍କର ସ୍ଵପ୍ନ ଥିଲା ଦେଶର ସବୁ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା। ଧାଡ଼ିର ଶେଷ ଛିଡ଼ା ହୋଇଥିବା ଲୋକ ପାଖରେ ସବୁ ସୁବିଧା ପହଞ୍ଚାଇବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିଛି।

ଦେଶ ଏବେ ୫ଟି ସଙ୍କଳ୍ପ ନେଇ ଆଗକୁ ବଢ଼ିବ। ଆଗାମୀ ୨୫ ବର୍ଷ ପାଇଁ ସଙ୍କଳ୍ପ ନେବାକୁ ପଡ଼ିବ। ଆଗାମୀ ୨୫ ବର୍ଷ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ୨୦୪୭ ମସିହାରେ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ସେତେବେଳ ପର୍ଯ୍ୟନ୍ତ ଆମ ଲକ୍ଷ୍ୟ ହୋଇଥିବା ଦରକାର। ଏଥିପାଇଁ ଏକ ବିକଶିତ ଭାରତର ସ୍ଵପ୍ନ ସମସ୍ତଙ୍କୁ ଦେଖିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Tags: #IndependenceDay #Celebration #PMNarendraModi #AjadiKaAmrutMahostav

Comment