ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ୨୦୨୨ ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଚଳିତ ବର୍ଷର ବିଷୟ ବସ୍ତୁ ‘ମୃତ୍ତିକା ହିଁ ଖାଦ୍ୟର ଉତ୍ସ’ ପ୍ରସଙ୍ଗରେ ଉପ ଜିଲ୍ଲାପାଳ ନିଜ ବକ୍ତବ୍ୟ ରଖିଥିଲେ।

“ମୃତ୍ତିକା କ୍ଷୟ ଓ ସଂରକ୍ଷଣ ପାଇଁ କେବଳ ଚାଷୀ ଉତ୍ତରଦାୟୀ ନୁହନ୍ତି ବରଂ ଆମେ ସମସ୍ତେ ଏଥିପାଇଁ ଉତ୍ତର ଦାୟୀ। ଖାଦ୍ୟ ବିନା କୌଣସି ପ୍ରାଣୀର ଜୀବନ ଧାରଣ ସମ୍ଭବ ନୁହେଁ ଏବଂ ଏଇ ଜୀବନ ଧାରଣ ପାଇଁ ମୁଖ୍ୟ ଉତ୍ସ ମାଟିରୁ ଆମେ ୯୫ ପ୍ରତିଶତ ଖାଦ୍ୟ ପାଇଥାଉ। ତେଣୁ ସମ୍ପ୍ରତି ମୃତ୍ତିକା ସୁରକ୍ଷା ଓ ସଂରକ୍ଷଣ କରିବା ଆମ ସମସ୍ତଙ୍କ ନୈତିକ ଓ ଗୁରୁ ଦାୟିତ୍ଵ” କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।

ଲୋକମାନଙ୍କ ମଧ୍ୟରେ ଏସମ୍ବନ୍ଧରେ ସଚେତନତାକୁ ବ୍ୟାପକ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ନିଜ ପିଢ଼ି ତଥା ଆଗାମୀ ପିଢ଼ିକୁ ବଞ୍ଚାଇ ରଖିବା ପାଇଁ ହେଲେ ଆମକୁ ବର୍ତ୍ତମାନ ସଜାଗ ହେବାକୁ ପଡ଼ିବ ବୋଲି ସେ ସମସ୍ତଙ୍କୁ ଆହ୍ୱାନ କରିବା ସହ ବନୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।ସେହିପରି ଅନ୍ୟ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ବିଶ୍ୱ ମୃତ୍ତିକା ଦିବସ ଆଭିମୁଖ୍ୟରେ ସୁଚିନ୍ତିତ ଶିକ୍ଷଣୀୟ ମତାମତ ରଖିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ଏକ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା।

ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ ଭାଇମାନଙ୍କୁ ମୁଖ୍ୟ ଅତିଥି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଅନୁଷ୍ଠିତ ଉକ୍ତ ବୈଠକରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ଶିଶିର କୁମାର ମହାନ୍ତ, ମୋରଡା ବିଧାୟକଙ୍କ ପ୍ରତିନିଧି ମଳୟ କୁମାର ଜେନା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲକ୍ଷ୍ମଣ ଚନ୍ଦ୍ର ମୁର୍ମୁ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସଙ୍ଘମିତ୍ରା ପଟ୍ଟନାୟକ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ଭବାନୀ ଶଙ୍କର କାଲୋ, ଉଦ୍ୟାନ କୃଷି ଉପ-ନିର୍ଦେଶକ ରମାକାନ୍ତ ଗିରି, ଡିଡିଏମ, ନାବାର୍ଡ ସ୍ମୃତି ରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ସହ ବିଭିନ୍ନ ବ୍ଲକର ଚାଷୀ ଓ ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ।

Tags: #WorldSoilDayt2022 #Baripada #Mayurbhanj #Environment #Nature #Trees

Comment