ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଫ୍ଲୋରିଆ ତରଫରୁ ଟାମ୍ପା ସହରଠାରେ ‘ଉତ୍କଳ ଉତ୍ସବ’ ପାଳନ କରାଯାଇଛି। ଏହି ଉତ୍ସବରେ ସାମିଲ ହୋଇଥିଲେ ଟାମ୍ପା ତଥା ନିକଟବର୍ତ୍ତୀ ଅର୍ଲାଣ୍ଡୋ ସହରର ପ୍ରାୟ ଦୁଇ ଶହ ଓଡ଼ିଆ ପରିବାର।

ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ‘ଉତ୍କଳ ଉତ୍ସବ’ ପାଳନ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଉତ୍ସବ ପାଳନ ସହ ବିଦେଶରେ ରହୁଥିବା କୁନି କୁନି ଓଡ଼ିଆ ପିଲାଙ୍କୁ ଉତ୍କଳ ଦିବସ ସମ୍ପର୍କରେ ଏହି ଅବସରରେ ଅବଗତ କରାଯାଇଥିଲା।

ଉତ୍କଳ ଉତ୍ସବରେ କୁନି କୁନି କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ ସମ୍ବଲପୁରୀ ନୃତ୍ୟରେ ଉପସ୍ଥିତ ଦର୍ଶକଙ୍କୁ ଖୁବ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲେ। ଏହା ସହିତ ସାମୁହିକ ସଂଗୀତ ଗାନ, ତବଲା ଏବଂ ମୃଦଙ୍ଗ ବାଦନ, ପୁରୁଣା ଓ ନୂଆ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପରିବେଷଣ କରାଯାଇଥିଲା।

ଏହି ଅବସରରେ ଫ୍ୟାନ୍ସି ଡ୍ରେସ କମ୍ପିଟିସନ, ଓଡ଼ିଶାର ହସ୍ତତନ୍ତକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ମହିଳାମାନଙ୍କ ଦ୍ଵାରା ଫ୍ୟାସନ ସୋ’ର ଆୟୋଜନ କରାଯାଇଥିଲା। ସ୍ଥାନୀୟ ସନାତନ ମନ୍ଦିର ଏବଂ ଆୟାମ୍ମା ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Tags: #UtkalDibas #UtkalUtsav #America #Florida #FloriaFamily #Celebration

Comment