ଓଡିଶାଲାଇଭ୍ ବ୍ୟୁରୋ
ଯାତ୍ରା ଜଗତର ଆଗ ଧାଡ଼ିର ନାୟିକା ରିଙ୍କି ଓରଫ୍ ପ୍ରତିଭା ମହାରଣା। ପାଞ୍ଚ ମାସ ତଳେ ରଙ୍ଗମଞ୍ଚରେ ଅଭିନୟ କରି ଦର୍ଶକଙ୍କୁ କିମିଆଁ କରୁଥିଲେ। କିନ୍ତୁ ଏବେ ଜୀବନ ବଞ୍ଚେଇବା ପାଇଁ ସେ ରାସ୍ତାକଡ଼ରେ ଫଳ ବିକୁଛନ୍ତି। କରୋନା ତାଙ୍କର ସବୁ ସ୍ଵପ୍ନ ଭାଙ୍ଗି ଦେଇଥିବା ଅଭିନେତ୍ରୀଜଣକ କୋହଭରା କଣ୍ଠରେ କହିଛନ୍ତି।
ଆଲବମ୍ କୁଇନ୍ ରିଙ୍କି ୧୦୦ରୁ ଉର୍ଦ୍ଧ୍ଵ ଆଲବମ୍ ଏବଂ ଅନେକ ବଡ଼ ବଡ଼ ଯାତ୍ରା ପାର୍ଟିରେ ଅଭିନୟ କରିସାରିଛନ୍ତି। କିନ୍ତୁ କରୋନା ଯୋଗୁଁ ଏବେ ଯାତ୍ରା ଏବଂ ଆଲବମ୍ ସୁଟିଂ ବନ୍ଦ ରହିଛି। ତେଣୁ ପରିବାର ପ୍ରତିପୋଷଣ କରିବା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ ରାଜଧାନୀରେ ଫଳ ବିକ୍ରି କରୁଛନ୍ତି ରିଙ୍କି।
ଘରେ ପକ୍ଷାଘାତରେ ପିଡ଼ିତା ମା’ ଏବଂ ଅନ୍ୟ ସଦସ୍ୟମାନେ ରିଙ୍କିଙ୍କ ଉପରେ ନିର୍ଭର କରନ୍ତି। କିନ୍ତୁ କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ଯାତ୍ରା ଏବଂ ଆଲବମ୍ ସୁଟିଂ ବନ୍ଦ ରହିଛି। ତେଣୁ ରୋଗଗ୍ରସ୍ତ ମା’ଙ୍କୁ ଔଷଧ ଦେବାକୁ ଫଳ ଦୋକାନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ରିଙ୍କି କହିଛନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ସରକାରୀ ସାହାଯ୍ୟ ମିଳିନଥିବା ସେ କହିଛନ୍ତି। ତେବେ କରୋନା ଯୁଦ୍ଧରେ ଲୋକମାନଙ୍କୁ ସାହାଯ୍ୟ କରୁଥିବା ସିନେ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ସହାୟତା କରିଛନ୍ତି। ସବ୍ୟସାଚୀ ରିଙ୍କିଙ୍କ ପରିସ୍ଥିତିକୁ ବୁଝି ୨ ମାସର ରାସନ ସମେତ ତାଙ୍କ ମା’ଙ୍କ ଔଷଧ ପାଇଁ ଆର୍ଥିକ ସାହାଯ୍ୟ କରିଥିବା ରିଙ୍କି କହିଛନ୍ତି।
କରୋନା ଯୋଗୁଁ ରିଙ୍କିଙ୍କ ପରି ଅନେକ କଳାକାର ଏବେ ଅସହାୟ ହୋଇପଡ଼ିଛନ୍ତି। କିଏ ଫଳ ଓ ପନିପରିବା ବିକୁଛନ୍ତି ତ ଆଉ କିଏ ଅଣ୍ଡା ମାଛ ଆଦି ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏଭଳି ଅସମୟରେ ସରାକାରୀ ସହାୟତା ପାଇଁ କଳାକାରମାନେ ଦାବି କରୁଛନ୍ତି।









