ଓଡିଶାଲାଇଭ୍ ବ୍ୟୁରୋ

 

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି? ସେ ସମ୍ପର୍କରେ ସୂଚନା ଦେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଅପ୍ରେଲ ମାସ ମଧ୍ୟ ଭାଗରେ କେତେ ଲୋକ ନାମ ପଞ୍ଜୀକରଣ କରୁଛନ୍ତି ଏବଂ କେତେ ଲୋକ ବାହାରକୁ ଯିବେ ସେ ନେଇ ଆମେ ପୂର୍ବ ପ୍ରସ୍ତୁତି କରିଥିଲୁ। ସେହି ଅନୁସାରେ ଆମେ ପ୍ରତ୍ୟେକଟି ଲୋକ ପାଖରେ ପହଞ୍ଚି ତାଙ୍କର ଅସୁବିଧା ଦୂର କରିବା ସହ ଏବଂ ତାଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିଥିଲୁ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଓଡ଼ିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏ ସମ୍ପର୍କରେ କହିଛନ୍ତି।

କୋଭିଡ୍ ପରିଚାଳନା ପାଇଁ ୮ ଜଣିଆ ଟିମ୍ ଗଠିତ ହୋଇଛି

ଜିଲ୍ଲାରେ କୋଭିଡ୍ ପରିଚାଳନା ସହ ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି। ଜିଲ୍ଲାପାଳ କହିଛନ୍ତି, “ଏହି ସମୟରେ ପ୍ରତ୍ୟେକ ଲୋକ ସହ ସିଧାସଳଖ ଯୋଗାଯୋଗ କରିବା ଆବଶ୍ୟକ ଥିଲା। ଏଥିପାଇଁ ଆମେ ୮ ଜଣିଆ ଟିମ୍‌ ଗଠନ କରିଛୁ। ୨୦-୨୫ ଦିନ ଭିତରେ ଏହି ଟିମ୍ ବହୁତ ଭଲ କାମ କରିଛି। ଓଡ଼ିଶାରେ ଥିବା ବିହାର, ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଶ୍ଟିମ ବଙ୍ଗ ପ୍ରଭୃତି ରାଜ୍ୟର ପାଖାପାଖି ୮ ହଜାର ଲୋକଙ୍କୁ ଆମେ ସେମାନଙ୍କ ରାଜ୍ୟକୁ ପଠାଇଛୁ।”ବାହାର ରାଜ୍ୟରୁ ୧୦ ହଜାର ଓଡ଼ିଆ ଲୋକଙ୍କୁ ଆଣିସାରିଛୁ

ବାହାର ରାଜ୍ୟର ଲୋକଙ୍କୁ ଓଡ଼ିଶାରୁ ଫେରିବାର ବ୍ୟବସ୍ଥା କରିବା ସହ ଓଡ଼ିଆ ଲୋକଙ୍କୁ ଆଣିବାରେ ଜିଲ୍ଲା ପ୍ରଶାସନ ସାହାଯ୍ୟ କରିଛି। “ଆମ ଜିଲ୍ଲାର ଲୋକ ଯେତେବେଳେ ଆସିବା ଆରମ୍ଭ ହେଲା ସେତେବେଳେ ଆମେ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲୁ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ ହଜାର ଲୋକ ଆସିସାରିଛନ୍ତି। ସେମାନଙ୍କୁ ମଧ୍ୟ ଆମେ ବ୍ୟକ୍ତିଗତ ଭାବେ ଫୋନ କରି ତାମିଲନାଡ଼ୁ, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ପଶ୍ଟିମ ବଙ୍ଗ ଆଦି ରାଜ୍ୟରୁ ଆମ ଲୋକଙ୍କୁ ଆଣିଛୁ”, ଜିଲ୍ଲାପାଳ କହିଛନ୍ତି।

ପରିବହନ ପାଇଁ ବହୁ ବସ୍ ନିୟୋଜିତ ହୋଇଛି

ଆମର ପ୍ରସ୍ତୁତି ଠିକ୍ ଥିଲା। ସେହି ଅନୁସାରେ ଆମକୁ ଯେତିକି ବସ୍ ଦରକାର ଥିଲା ସେସବୁ ଆମେ ପୂର୍ବରୁ ପ୍ରସ୍ତୁତ ରଖିଥିଲୁ। ଡିଏଫ୍‌ଏମ୍‌ ଫଣ୍ଡ ଜରିଆରେ ପରିବହନ ପାଇଁ ଆଉ କିଛି ବସ୍ ମଧ୍ୟ ନିୟୋଜିତ କରିଛୁ। ସ୍କୁଲଗୁଡ଼ିକ ଏବେ ବନ୍ଦ ଥିବାରୁ ଆମେ ସବୁ ସ୍କୁଲ ବସ୍‌କୁ କାମରେ ଲଗାଇପାରିଛୁ ବୋଲି ନିଖିଲ ପବନ କଲ୍ୟାଣ କହିଛନ୍ତି।ପ୍ରବାସୀଙ୍କ ପାଇଁ ଟିଏମ୍‌ସିରେ ସମସ୍ତ ସୁବିଧା ପ୍ରଦାନ କରାଯାଉଛି

ପ୍ରବାସୀଙ୍କ ପାଇଁ ଟିଏମ୍‌ସିଗୁଡ଼ିକ ମଧ୍ୟ ଆଗରୁ ପ୍ରସ୍ତୁତ ଥିଲା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯେଉଁମାନେ ବାହାରୁ ଆସୁଛନ୍ତି ଆମେ ସଙ୍ଗେ ସଙ୍ଗେ ସେମାନଙ୍କୁ ସେଠାରେ ରଖିଛୁ। ରାତାରାତି ସ୍ଵାବ୍ ଟେଷ୍ଚ ମଧ୍ୟ କରାଯାଇଛି। ସେମାନଙ୍କ ଖାଇବା ପିଇବା ଏବଂ ସାନିଟେସନ ପାଇଁ ଆମେ ଆଉଟ୍‌ସୋର୍ସିଂ ଏଜେନ୍ସିଗୁଡ଼ିକୁ ନିୟୋଜିତ କରିଛୁ।”

କୋଭିଡ୍ ପରିଚାଳନା ଟିମ୍ ବହୁତ ଭଲ କାମ କରିଛନ୍ତି

ବାହାରକୁ ଯାଉଥିବା କିମ୍ବା ବାହାରୁ ଆସୁଥିବା ଲୋକଙ୍କୁ ଭଲଭାବେ ଅନୁଧ୍ୟାନ କରିବା ସହ ସେମାନଙ୍କର କରୋନା ଟେଷ୍ଟ ଏବଂ ପରିବହନ କ୍ଷେତ୍ରରେ ଏହି ଟିମ୍ ନିରବଚ୍ଛିନ୍ନ ଭାବେ କାମ କରିଥିଲା ବୋଲି ଜିଲ୍ଲାପାଳ କହିଛନ୍ତି।

ସେ ଆହୁରି କହିଛନ୍ତି, “ଏହି ଟିମ୍ ବହୁତ ଭଲ କାମ କରିଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଦିନରାତି ୨୪ ଘଣ୍ଟା ଆମେ ରାତି ଅଧରେ ଲୋକ ବାହାରୁ ପହଞ୍ଚୁଥିଲେ। ସେତେବେଳେ ସେମାନଙ୍କର ଟେଷ୍ଟିଂ, ରହିବା ବ୍ୟବସ୍ଥା ଏସବୁ ଆମେ ବହୁତ ଭଲ ଭାବେ କରିଥିଲୁ। ସବୁକିଛି ବହୁତ ଭଲ ଭାବରେ କରାଯାଇଥିଲା।”କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

LEAVE A REPLY

Please enter your comment!
Please enter your name here