ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାଜନିତ ମୃତ୍ୟୁହାର କମ କରିବା ପାଇଁ ଗଠନ କରାଗଲା ବୈଷୟିକ କମିଟି। ୭ଟି ମେଡିକାଲ୍ କଲେଜର ବରିଷ୍ଠ ପ୍ରଫେସରମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି।
ଏହି ଟିମ୍ ରାଜ୍ୟର ସମସ୍ତ ଜିଲ୍ଲାକୁ ଗସ୍ତ କରି କରୋନା ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବ। ଏଥିସହିତ ଆବଶ୍ୟକସ୍ଥଳେ ଡାକ୍ତରମାନଙ୍କୁ ପରାମର୍ଶ ମଧ୍ୟ ଦେବ। ଫଳରେ ରାଜ୍ୟରେ କରୋନା ଚିକିତ୍ସା ଆହୁରି ଅଧିକ ଫଳପ୍ରଦ ହୋଇପାରିବ। ଗତକାଲି କୋଭିଡି ପରିସ୍ଥିତିର ସମୀକ୍ଷା କରିବା ସମୟରେ ଏନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ସଂକ୍ରମଣ ହାର ଅପେକ୍ଷାକୃତ କମ୍ ରହିଛି। ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଉଥିବାରୁ ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ ଚିନ୍ତାର ବିଷୟ ହେଲା ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ତେଣୁ ଏହି ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


















