ଓଡିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଅଧ୍ୟକ୍ଷ ଏବଂ ସଦସ୍ୟ ସଚିବ ପଦବୀ ପାଇଁ କୌଣସି ଯୋଗ୍ୟତା କିମ୍ବା ଅଭିଜ୍ଞତା ସ୍ଥିର ହେଉନଥିବା ନେଇ ଆଗତ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି। ସମାଜସେବୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ପକ୍ଷରୁ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର୍ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ, ଏସ୍‌ପିସିବି ସଦସ୍ୟ ସଚିବଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଶ୍ରୀ ଶତପଥୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଥିଲେ ଯେ, ଏସ୍‌ପିସିବିର ଅଧ୍ୟକ୍ଷ ଏବଂ ସଦସ୍ୟ ସଚିବ ପଦବୀରେ କେଉଁମାନେ ନିଯୁକ୍ତି ପାଇବେ ସେ ନେଇ ସର୍ବୋଚ୍ଚ ଅଦାଲତ ଏକ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ପ୍ରତ୍ୟେକ ରାଜ୍ୟ ସରକାର ଏସ୍‌ପିସିବିର ଅଧ୍ୟକ୍ଷ ଏବଂ ସଦସ୍ୟ ସଚିବ ପଦବୀରେ ଯେଉଁମାନେ ନିଯୁକ୍ତ ହେବେ, ସେମାନଙ୍କର ଯୋଗ୍ୟତା କ’ଣ ରହିବ ତାହା ସ୍ଥିର କରି ଏକ ନୀତି ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶ ରହିଥିଲା।BGUଇତିମଧ୍ୟରେ ଗୁଜୁରାଟ, ମଧ୍ୟପ୍ରଦେଶ, ପଞ୍ଜାବ, କେରଳ, ଆସାମ, ନାଗାଲାଣ୍ଡ ଆଦି ରାଜ୍ୟ ଏହି ଦୁଇ ପଦବୀ ଲାଗି ଯୋଗ୍ୟତା ଏବଂ ଅଭିଜ୍ଞତା କ’ଣ ରହିବ ତାହା ସ୍ଥିର କରି ସାରିଛନ୍ତି। କିନ୍ତୁ ଓଡ଼ିଶାରେ ଗତ ୧୦ ବର୍ଷ ଧରି ଅଧ୍ୟକ୍ଷ ପଦବୀରେ ଆଇଏଏସ୍ ଏବଂ ସଦସ୍ୟ ସଚିବ ପଦବୀରେ ଜଣେ ଆଇଏଫଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି। ତେଣୁ ରାଜ୍ୟ ସରକାର ଏହି ପଦବୀ ଲାଗି ଯୋଗ୍ୟତା ଏବଂ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

Comment