ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।

ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଓଡ଼ିଆ ସାହିତ୍ୟରେ ଏକ ଅନନ୍ୟ ପ୍ରତିଭା। ୧୯୨୦ ମସିହାରେ ଜଣେ ସୁପ୍ରସିଦ୍ଧ ପଣ୍ଡିତ ଭାବେ ରାଜସମ୍ମାନ ଲାଭ କରିଥିଲେ। ଆଜି ଏହି ବରେଣ୍ୟ କାଳଜୟୀ ସାରସ୍ୱତ ସାଧକଙ୍କର ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଥିଲେ ଓଡ଼ିଆ ସାହିତ୍ୟରେ ଜଣେ ଅମ୍ଳାନ ପ୍ରତିଭା। ତାଙ୍କର ପାରଦର୍ଶିତା ଓ ଓଡ଼ିଆ ସାହିତ୍ୟକୁ ତାଙ୍କର ଯେଉଁ ଅବଦାନ ରହିଛି ତା’ ଭିତରେ ୨ଟି ମୁଖ୍ୟ ଅବଦାନ ହେଲା ‘ଶବ୍ଦତତ୍ତ୍ୱ ଅଭିଧାନ’ ଏବଂ ଭାଷତତ୍ତ୍ୱ ଉପରେ ସେ ଯେଉଁ ପୁସ୍ତକ ରଚନା କରିଛନ୍ତି। ସେ ବହୁ ନାଟକ ମଧ୍ୟ ରଚନା କରିଛନ୍ତି। ଅଭିଧାନ ରଚନା କରିବା ଓ ଭାଷତତ୍ତ୍ୱ ଉପରେ ଗ୍ରନ୍ଥ ଲେଖିବା ଏହା କେବଳ ସମ୍ଭବ ହୋଇପାରିଛି ପଣ୍ଡିତ ଗୋପୀନାଥ ନନ୍ଦଙ୍କ ପକ୍ଷରେ। ପୃଥିବୀରେ କେତେ ଜଣ ବିରଳ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ପଣ୍ଡିତ ଗୋପୀନାଥ ଜଣେ’’, କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।BGU

ପାରଳାଖେମୁଣ୍ଡିରେ ୧୮୬୯ ମସିହା ଅଗଷ୍ଟ ୨୧ ତାରିଖରେ ଜନ୍ମ ନେଇଥିଲେ ଗୋପୀନାଥ। ପାରଳାଖେମୁଣ୍ଡି ରାଜ-କଲେଜରେ ସେ ପ୍ରଥମେ ପଣ୍ଡିତ ଥିଲେ ଓ ପରେ ଅଧ୍ୟାପକ ଭାବେ ଯୋଗଦେଲେ। କାବ୍ୟ, କବିତା, ଅନୁବାଦ, ନାଟକ, ପ୍ରବନ୍ଧ, ସମାଲୋଚନା, ଶବ୍ଦକୋଷ ଭଳି ବହୁ ବିଷୟରେ ସେ ଲେଖନୀ ଚାଳନା କରି ସଫଳ ହୋଇଥିଲେ।

“ଓଡ଼ିଆ ଭାଷାତତ୍ତ୍ୱ ଓ ଶବ୍ଦତତ୍ତ୍ୱର ଅନ୍ୟତମ ପ୍ରଣେତା ହେଉଛନ୍ତି ପଣ୍ଡିତ ଗୋପୀନାଥ ନନ୍ଦଶର୍ମା। ସାହିତ୍ୟର ସମସ୍ତ ବିଭାଗପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି’’, କହିଛନ୍ତି  ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

ଗୋପୀନାଥ ଶର୍ମା ସଂସ୍କୃତରୁ ଅନେକ ଉଚ୍ଚକୋଟୀର କାବ୍ୟ ଅନୁବାଦ କରି ଓଡ଼ିଆ ପାଠକୀୟତାକୁ ସମୃଦ୍ଧ କରିଛନ୍ତି। କାଳିଦାସଙ୍କ ମେଘଦୂତ, ରୂପ ଗୋସ୍ୱାମୀଙ୍କ ଉଦ୍ଧବ ଦୂତ, ଭବଭୂତିଙ୍କ ରାମାଶ୍ୱମେଧ ନାଟକ, ଭାସ୍କର କବିଙ୍କ ଉନ୍ମତ୍ତ ରାଘବ ଆଦି ତାର ଉଦାହରଣ।

‘‘ପଣ୍ଡିତ ଗୋପୀନାଥ ତାଙ୍କ ଜୀବନରେ ବହୁ ସଂଘର୍ଷ କରିଥିଲେ। ତାଙ୍କ ଜୀବନରେ ସଂଘର୍ଷର ସମୟ ଥିଲା ତାଙ୍କ ବାଲ୍ୟକାଳ। ସେ ପିଲାବେଳେ ଏକ ଭୟଙ୍କର ବଜ୍ରାଘାତରେ ନିଜର ଶ୍ରବଣ ଶକ୍ତି ହରାଇ ବସିଥିଲେ। କିନ୍ତୁ ନିଜର ବ୍ୟକ୍ତିଗତ ଅଧ୍ୟବସାୟ ଓ ସାଧନା ବଳରେ ସେ ବିଭିନ୍ନ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ସେ ଥିଲେ ସର୍ବମାନ୍ୟ ପଣ୍ଡିତ। ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଥିଲେ। ତତ୍‌କାଳୀନ ମାନ୍ଦ୍ରାଜ ସରକାର ତାଙ୍କୁ  ମାନ୍ଦ୍ରାଜ ସହରରେ ସର୍ବଭାରତୀୟ ପଣ୍ଡିତ ସମ୍ମିଳନୀରେ ସ୍ୱର୍ଣ୍ଣକଙ୍କଣ, ସାଲ୍‌, ସନନ୍ଦରେ ସମ୍ମାନିତ କରିଥିଲେ’’, କହିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ଡକ୍ଟର କୁଳମଣି ଓଝା।

‘‘୧୯୧୬ ମସିହାରେ ଗୋପୀନାଥଙ୍କର ଶବ୍ଦତତ୍ତ୍ୱବୋଧ ଓଡ଼ିଆ ଅଭିଧାନ ପ୍ରକାଶିତ ହୋଇଥିଲା।  ଅଭିଧାନର ବିଶେଷତ୍ୱ ହେଉଛି ତା’ଭିତରେ ଥିବା ବ୍ୟୁତ୍ପତ୍ତି। ଯେକୌଣସି ଶବ୍ଦର ମୂଳ କେଉଁଠି ରହିଛି ତାହା ସେ ସେଥିରେ ଦେଖାଇବାକୁ ଚେଷ୍ଟା କରିଛନ୍ତି। ତେଣୁ ଓଡ଼ିଆ ଭାଷାର ପ୍ରଚୀନତା ସମ୍ପର୍କରେ ଯେଉଁ ଚର୍ଚ୍ଚା କରୁଛନ୍ତି ପଣ୍ଡିତ ଗୋପୀନାଥ ଶର୍ମା ତାହାର ଭିତ୍ତିସ୍ଥାପନ କରିଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ।

“ଓଡ଼ିଆ ଭାଷାକୁ ପଣ୍ଡିତ ଗୋପୀନାଥଙ୍କର ଅତୁଳନୀୟ ଅବଦାନ ହେଲା ଶବ୍ଦତତ୍ତ୍ୱବୋଧ ଅଭିଧାନ। ଯାହା ତତକାଳୀନ ଭାରତବର୍ଷରେ ଏକାକୀ ଅଭିଧାନ ଭାବେ ଖ୍ୟାତି ଅର୍ଜନ କରିଥିଲା। ସେହି ଅଭିଧାନ ଯେ କେବଳ ଶବ୍ଦର ସମ୍ଭାର ତାହା ନୁହେଁ ଏହା ବିଭିନ୍ନ ଓଡ଼ିଆ ଶବ୍ଦର ଉତ୍ପତ୍ତି, ବ୍ୟୁତ୍ପତ୍ତି ଏବଂ ତାହାର ବ୍ୟବହାରଗତ ଚଳନି ବିଷୟରେ ବର୍ଣ୍ଣିତ’’, କହିଛନ୍ତି ଗବେଷକ ବିଷ୍ଣୁଚରଣ ଅଧିକାରୀ।

Comment