ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରିଆଡ଼େ ଏବେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳୁଛି।
(ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): କରୋନାକୁ ରୋକିବାକୁ ବୈଜ୍ଞାନିକମାନେ ଏଯାବତ ସଫଳ ଟିକା ବାହାର କରିପାରିନାହାନ୍ତି। ଅନ୍ୟପଟେ ଏହି ମହାମାରୀକୁ ରୋକିବାକୁ ସରକାରୀ ସ୍ତରରେ ‘ସାମାଜିକ ଦୂରତା’କୁ ଟିକାର ଏକ ବିକଳ୍ପ ଭାବେ ଗ୍ରହଣ କରାଯାଇଛି। ଅର୍ଥାତ ସାମାଜିକ ଦୂରତା ପାଳିଲେ ହିଁ ଆମେମାନେ କରୋନାକୁ ମାତ୍ ଦେଇପାରିବା ବୋଲି ସରକାରଙ୍କ ତରଫରୁ ଲୋକଙ୍କୁ ବାରମ୍ବାର କୁହାଯାଉଛି। ହେଲେ ଲୋକମାନଙ୍କ ମଧ୍ୟରେ ଏହି ‘ସାମାଜିକ ଦୂରତା’ ଏବେ ଏକ ମିଛ ବାହାନା ଭଳି ନଜର ଆସୁଛି।
ଯେତେବେଳେ କରୋନା ପ୍ରଥମେ ପ୍ରଥମେ ନିଜର କାୟା ମେଲାଇବା ଆରମ୍ଭ କରିଥିଲା ସେତେବେଳେ ଲୋକମାନେ ସମସ୍ତେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଥିଲେ। ହେଲେ ଏବେ କିନ୍ତୁ ଲୋକମାନେ ଏହାକୁ ସମସ୍ତେ ହେୟଜ୍ଞାନ କରୁଥିବା ଦେଖିବାକୁ ମିଳିଛି। ହାଟ ବଜାରଠାରୁ ଆରମ୍ଭ କରି ଓମଫେଡ୍ ଷ୍ଟଲ୍, ଦୋକାନ ଘର,ସହରର ଗଳିକନ୍ଧିରେ ଲୋକମାନେ ସାମାଜିକ ଦୂରତା ନିୟମକୁ ଖୁଲମ୍ ଖୁଲା ଉଲ୍ଲଘଂନ କରୁଛନ୍ତି।
ହାଟ ବଜାରରେ ନିୟମକୁ ଫୁ…
କରୋନାକୁ ରୋକିବାକୁ ରାଜ୍ୟ ସରକାର ରାଜଧାନୀର ପ୍ରମୁଖ ହାଟଗୁଡ଼ିକୁ ଖାଲି ସ୍ଥାନକୁ ସ୍ଥାନାନ୍ତର କରିଦେଇଥିଲେ। ଖାଲି ସ୍ଥାନରେ ସାମାଜିକ ଦୂରତାକୁ ପାଳି ଲୋକମାନେ ସଉଦା ପତ୍ର କିଣିବା ସହଜ ହେବ ବୋଲି ଭାବି ସରକାର ଏଭଳି କରିଥିଲେ। ହେଲେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଲୋକମାନେ ହାଟରେ ସାମାଜିକ ଦୂରତା ନିୟମକୁ ବେଖାତିର୍ କରି ଜିନିଷ ପତ୍ର କିଣୁଛନ୍ତି। । ପରସ୍ପର ଭିତରେ ୬ ଫୁଟର ଦୂରତା କେଉଁଠି ବି ପାଳନ ହେଉନଥିବା ଦେଖିବାକୁ ମିଳୁଛି।
ଏପରିକି ହାଟ ବଜାର ଭିତରେ ଅନେକ ବ୍ୟବସାୟୀ ବହୁତ ଲୋକଙ୍କ ସଂଶର୍ଷରେ ଆସୁଥିଲେ ମଧ୍ୟ ସେମାନେ ମାସ୍କ କିମ୍ବା ସାନିଟାଇଜର ବ୍ୟବହାର କରୁନାହାନ୍ତି। ବିଏମସି ତରଫରୁ ମଧ୍ୟ ହାଟ ବଜାରରେ ନିୟମିତ ଯାଞ୍ଚ ନହେଉଥିବାରୁ ଏଭଳି ବେଖାତିର ମନୋଭାବ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।
ପୁଣି ଆରମ୍ଭ ହେଲାଣି ଚା’ ଖଟି
ଅନଲକ୍ ପକ୍ରିୟାରେ ପ୍ରଶାସନ ଦୋକାନ ବଜାରଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଛି। ଯାହା ଫଳରେ ସହର ଭିତରେ ଥିବା ଅନେକ ଓମଫେଡ୍ ଷ୍ଟଲ୍ ମଧ୍ୟ ଏବେ ଖୋଲିବା ଆରମ୍ଭ କରିଦେଇଛି। ହେଲେ ଚିନ୍ତାର ବିଷୟ ହେଲା ଯେ, ଏହି ଷ୍ଟଲମାନଙ୍କରେ ସାମାଜିକ ଦୂରତା ନିୟମ ପାଳନ ହେଉନାହିଁ। ଲୋକମାନେ ଏବେ ପୁଣି ଚା’ ପିଇ ଦୋକାନ ଆଗରେ ଗପସପ ହେଉଥିବା ଦେଖିବାକୁ ମିଳୁଛି। ଯାହାକି ନିୟମର ଖୋଲା ଉଲ୍ଲଘଂନ ବୋଲି କୁହାଯାଇପାରେ।
ବସ୍ତି ଅଞ୍ଚଳରେ ନାହିଁ କୌଣସି କଟକଣା
ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଇବାର ପ୍ରମୁଖ କାରଣ ହେଉଛି ବସ୍ତି ଅଞ୍ଚଳ। ଏଠାକାର ଲୋକମାନେ ପରସ୍ପର ଭିତରେ ସାମାଜିକ ଦୂରତା ପାଳୁନଥିବା ଓ ସମସ୍ତେ ଏକାଠି ବସବାସ କରୁଥିବାରୁ ଏଠାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହେଲେ ଏବେ ବି ସହରର ବହୁତ ବସ୍ତିରେ କୌଣସି କଟକଣା ନଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତା ସହିତ ଲୋକମାନେ ମାସ୍କ ମଧ୍ୟ ପିନ୍ଧୁନଥିବା ଦେଖିବାକୁ ମିଳୁଛି। କେତେକ ଲୋକ ମାସ୍କ ପିନ୍ଧୁଥିଲେ ମଧ୍ୟ ତାହା ସେମାନଙ୍କର ନାକ ଓ ପାଟି ତଳେ ରହୁଥିବା ଦେଖିବାକୁ ମିଳୁଛି।








ଚାରିଆଡ଼େ ଏବେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳୁଛି।









