ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୁରୁବାର ବିଧାନସଭା ଆଗରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ନିଜ ମା’ ବେକରେ ଛୁରୀ ଲଗାଇ ପୁଅ ହତ୍ୟା ଉଦ୍ୟମ କରୁଥିବାର ସୂଚନା ମିଳିଛି। ତେବେ ବିଧାନସଭା ଚାଲିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଯୁବକ ଜଣକ କିପରି ଛୁରୀ ନେଇ ବିଧାନସଭା ସାମ୍ନାକୁ ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯୁବକ ଜଣକ ହେଉଛନ୍ତି ନୟାଗଡ଼ର ଜିତେନ୍ଦ୍ର ପାଳ। ଗୁରୁବାର ମଧ୍ୟାହ୍ନରେ ବିଧାନସଭା ସମ୍ମୁଖରେ ହଠାତ୍ ଯୁବକ ଜଣଙ୍କ ତାଙ୍କ ମା’ଙ୍କ ବେକରେ ଛୁରୀ ଲଗାଇ ତାଙ୍କୁ ମାରିବାକୁ ଉଦ୍ୟମ କରୁଥିଲେ। ତେବେ ପୋଲିସ କର୍ମଚାରୀମାନେ ଦୀର୍ଘ ସମୟ ତାଙ୍କୁ କଥାରେ ବ୍ୟସ୍ତ ରଖି ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ଏବଂ ମହିଳାଙ୍କୁ ଉଦ୍ଧାର ମଧ୍ୟ କରିଥିଲେ। ତେବେ କେଉଁ କାରଣ ପାଇଁ ସେ ଏପରି କରୁଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ତେବେ ଏତେ ସବୁ ଘଟଣା ମଧ୍ୟରେ ଏବେ ବିଧାନସଭାର ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତ୍ରିସ୍ତରୀୟ ବ୍ୟବସ୍ଥା ମଧ୍ୟରେ ଯୁବକଟି କେମିତି ଛୁରୀ ନେଇ ଆସିଲା, ପୁଣି ସମସ୍ତଙ୍କ ସାମ୍ନାରେ ମହିଳାଙ୍କ ଉପରେ ଆକ୍ରମଣ ମଧ୍ୟ କଲା। ତେବେ ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ତଦନ୍ତ ପରେ ହିଁ ପୁରା ଘଟଣା ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିବ।