ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ବଲିଉଡର ‘ନାୟକ’ ଫିଲ୍ମ ନିଶ୍ଚିତ ଦେଖିଥିବେ। ଏହି ଫିଲ୍ମରେ ଅଭିନେତା ଅନିଲ କପୁର ଦିନକ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ଦିନିକିଆ ମୁଖ୍ୟମନ୍ତ୍ରୀ ସମୟରେ ସେ ମହାରାଷ୍ଟ୍ରରେ ଅନେକ କିଛି ପରିବର୍ତ୍ତନ ଆଣିଥିବା ଫିଲ୍ମରେ ଦେଖାଯାଇଥିଲା। ସେହି କାରଣରୁ ଫିଲ୍ମଟି ବକ୍ସଅଫିସରେ ହିଟ୍ ମଧ୍ୟ ସାବ୍ୟସ୍ତ ହୋଇଥିଲା।

ଠିକ୍ ଏହି ଫିଲ୍ମର କାହାଣୀ ଅନୁଯାୟୀ, ଫିନଲାଣ୍ଡରେ ଜଣେ ୧୬ ବର୍ଷୀୟ ଯୁବତୀ ଦିନକ ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଦିନକ ପାଇଁ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିବା ଏହି ଝିଅଙ୍କର ନାଁ ହେଉଛି ଏବା ମୁର୍ଟୋ।

ବର୍ତ୍ତମାନ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଅଛନ୍ତି ସନା ମରିନା। ସେ ହେଉଛନ୍ତି ଫିନଲାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ। ସନା ମରିନା ନିକଟରେ ଦିନକ ପାଇଁ ତାଙ୍କ ପ୍ରଧାନମନ୍ତ୍ରୀ ଆସନ ଏହି ୧୬ ବର୍ଷୀୟ ଝିଅ ପାଇଁ ଛାଡ଼ିଦେଇଥିଲେ। ସେହି ଝିଅଟି ଦିନକ ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସି ଶାସନ ସମ୍ଭାଳିଥିଲେ। ନାରୀ ସଶକ୍ତୀକରଣକୁ ଗୁରୁତ୍ୱ ଦେବାକୁ ଯାଇ ସନା ମରିନା ଏପରି କରିଥିବା ଜଣାପଡ଼ିଛି।

ନିଜର ଗୋଟିଏ ଦିନର ପ୍ରଧାନମନ୍ତୀତ୍ୱକୁ ନେଇ ସେହି ଯୁବତୀ ଜଣକ ବେଶ ଖୁସି ଥିବା ଜଣାପଡ଼ିଛି। ସେ ଏହି ସମୟରେ କୌଣସି ନୂଆ ଆଇନ୍ ଆଣିନଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଓ ମାନବାଧିକାରକୁ ନେଇ ଉଚ୍ଚ ଅଧିକାରୀଙ୍କ ସହ ବୈଠକ କରିଥିବା କହିଛନ୍ତି।

Comment