ଓଡ଼ିଶାଲାଇଭ୍ ବ୍ୟୁରୋ

ଗଲ୍ଫ ଅଫ ଥାଇଲାଣ୍ଡ ଏବଂ ଏହାର ଆଖ ପାଖ ଅଞ୍ଚଳରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ମିଳିଥିବା ସୂଚନା ମୁତାବକ ୧୧ ତାରିଖ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାରେ ୪୫ରୁ ୫୫ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବା ସହିତ ବର୍ଷା ହେବ। ବିଶେଷକରି ଗଜପତି, ଗଞ୍ଜାମ, ରାୟଗଡ଼ା ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।ସେହିପରି ମାଲକାନଗିରି, କୋରାପୁଟ, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଅନ୍ୟପଟେ ୧୨ ଓ ୧୩ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ଏଥିପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

Comment