ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳି ଚାଲିଛି ଡାକସେବା ବା ପୋଷ୍ଟ। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍-ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ହୋଇଛି ଡାକସେବା। ଏହାର ମହତ୍ୱ ବିଷୟରେ ଜଣାଇବାକୁ ପ୍ରତିବର୍ଷ ଅକ୍ଟୋବାର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ତେବେ ଏହି ଅବସରରେ ଆସନ୍ତୁ ଜାଣିବା କେବେଠୁ ଓ କିଭଳି ଡାକସେବା ଆରମ୍ଭ ହୋଇଥିଲା।
୧୮୭୪ ମସିହାରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ଣ୍ଣରେ ‘ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ’ ପ୍ରତିଷ୍ଠା ହୋଇଥିଲା। ବିଶ୍ୱସ୍ତରରେ ଡାକ ମାଧ୍ୟମରେ ଚିଠି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ୧୮୭୬ରେ ‘ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ’ରେ ଭାରତ ସଦସ୍ୟ ହୋଇଥିଲା। ୧୯୬୦ରେ ଟୋକିଓରେ ‘ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ’ ବୈଠକରେ ଅକ୍ଟୋବର ୯କୁ ‘ବିଶ୍ୱ ଡାକ ଦିବସ’ ଭାବେ ପାଳନ କରିବାକୁ ଭାରତ ପ୍ରସ୍ତାବ ରଖିଥିଲା। ଏହି ପ୍ରସ୍ତାବ ଅନୁମୋଦିତ ହୋଇ ୧୯୭୦ରୁ ଅକ୍ଟୋବର ୯କୁ ‘ବିଶ୍ୱ ଡାକ ଦିବସ’ ଭାବେ ପାଳନ କରାଯାଉଛି।
‘ବିଶ୍ୱ ଡାକ ଦିବସ’ର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଡାକ ସେବା ବିଷୟରେ ପ୍ରଚାର ପ୍ରସାର କରିବା ଏବଂ ଏହାର ଗୁରୁତ୍ୱ ବିଷୟରେ ଜଣାଇବା। ଏଥିସହ ଲୋକଙ୍କ ସାମାଜିକ ଜୀବନ ଓ ଦେଶରେ ଅର୍ଥନୈତିକ ବିକାଶରେ ଏହାର ଅବଦାନ ବିଷୟରେ କହିବା।
ଡାକ ଦିବସ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା
ଭାରତରେ ସବୁଠୁ ଅଧିକ ଡାକଘର ରହିଛି। ଦେଶରେ ପ୍ରଥମ ପୋଷ୍ଟ ଅଫିସ କୋଲକାତାରେ ସ୍ଥାପନ ହୋଇଥିଲା। ୧୯୮୬ରୁ ଭାରତରେ ସ୍ପିଡ୍ ପୋଷ୍ଟ ବ୍ୟବସ୍ଥାର ଆରମ୍ଭ ହୋଇଥିଲା। ୧୮୮୦ରେ ମନି ଅର୍ଡର ବ୍ୟବସ୍ଥା ହୋଇଥିଲା।