ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଖ୍ୟାତ ରାଜନେତା ଓ ସାହିତ୍ୟିକ ଶରତ କୁମାର କରଙ୍କ ମୃତ୍ୟୁରେ ଓଡ଼ିଶା ଜଣେ ବରପୁତ୍ରଙ୍କୁ ହରାଇଛି ବୋଲି ବୁଝିବାକୁ ପଡ଼ିବ। ସେ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ ଓ ନିକଟରେ କରୋନା ଆକ୍ରାନ୍ତ ହୋଇଥିଲେ।
ଶରତ କର ଓଡ଼ିଶା ବିଧାନସଭାର ବାଚସ୍ପତି ରୂପେ ବହୁଳ ଭାବରେ ପରିଚିତ। କଟକ ଜିଲ୍ଲା ମାହାଙ୍ଗାରେ ସେ ସେପ୍ଟେମ୍ବର ୫,୧୯୩୯ରେ ଜନ୍ମ ଗ୍ରହଣ କରିଥିଲେ। ଦୀର୍ଘ ଇନିଂସ କରିଥିବା ସ୍ଵର୍ଗତ କରଙ୍କ ରାଜନୈତିକ ଜୀବନ ବହୁ ଉତ୍ଥାନ ପତନ ଦେଇ ଗତି କରିଛି।
ଆଲାହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା କରଙ୍କ ସହପାଠୀ ଥିଲେ ପ୍ୟାରୀମୋହନ ମହାପାତ୍ର। ଏମ୍ଏ ପାସ୍ କରିବା ପରେ ସ୍ଵର୍ଗତ କର କିଛି ସମୟ ଅଧ୍ୟାପନା ବି କରିଥିଲେ।
ଆଲାହାବାଦ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ଶରତ କର ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଭେଟି ଥିଲେ ଓ ରାଜନୀତିରେ ଯୋଗ ଦେବା ପାଇଁ ତାଙ୍କ ଠାରୁ ହିଁ ପ୍ରେରଣା ପାଇଥିଲେ। ଶରତ କର ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିରେ ଯୋଗ ଦିଅନ୍ତି ୧୯୬୪ରେ।
ମାହାଙ୍ଗା ବିଧାନସଭା ଆସନରୁ ସେ ତିନି ଥର ନିର୍ବାଚିତ ହୋଇଥିଲେ: ୧୯୭୧ -୭୪ ,୧୯୯୦ -୯୫ ଓ ୨୦୦୦- ୨୦୦୪। ଶେଷ ଥର ବିଧାୟକ ସମୟରେ ସେ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଥରେ ଲୋକସଭାକୁ ବି ନିର୍ବାଚିତ ହୋଇଥିଲେ।
ମାହାଙ୍ଗା ରାଜନୀତିରେ ଦୁଇ ଜଣ ନେତାଙ୍କ ଦବ୍ଦବା ସବୁବେଳେ ରହି ଆସିଥିଲା। କଂଗ୍ରେସର ମତଲୁବ ଅଲି ଓ ଜନତା ଦଳର ଶରତ କର। ବସ୍ତୁତଃ, ପ୍ରତି ୫ ବର୍ଷରେ ଥରେ ଏ ଦୁହେଁ ମାହାଙ୍ଗା ଆସନରୁ ପାଳି କରି ଜିତୁଥିଲେ। ଉଭୟଙ୍କ ମଧ୍ୟରେ ଆହୁରି ଅନେକ ସାମଞ୍ଜସ୍ୟ ଥିଲା। ସାହିତ୍ୟିକ ଭାବରେ ଉଭୟେ ବେଶ୍ ନାମ ଉପାର୍ଜ୍ଜନ କରିଥିଲେ ଓ ଦୁହେଁ ଭଲ ବକ୍ତା ବି ଥିଲେ।
ଶରତ କର ସର୍ବ କନିଷ୍ଠ ମନ୍ତ୍ରୀ ଭାବରେ ୧୯୭୧ ମସିହାରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ସଂସ୍କୃତି ଓ ଶିକ୍ଷା ବିଭାଗର ଦାୟିତ୍ୱରେ ଥିଲେ। ୧୯୯୦ରେ ବିଜୁ ପଟ୍ଟନାୟକ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ସ୍ଵର୍ଗତ କର ବିଜୁ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ ଓ ବିଜୁ ବାବୁ ତାଙ୍କୁ ଖୁବ ଭଲ ପାଉଥିଲେ। ଶରତ କର ଗୋଟିଏ ସମୟରେ ଏଆଇସିସିର ସଦସ୍ୟ ବି ଥିଲେ। ସେ କିଛି ସମୟ ପାଇଁ ଓଡ଼ିଶା କଂଗ୍ରେସରେ ବି ଯୋଗ ଦେଇଥିଲେ।
ଜଣେ ପ୍ରତିଷ୍ଠିତ ଲେଖକ ହେବା ବ୍ୟତୀତ ସେ ଜଣେ ମେଳାପୀ ନେତା ଥିଲେ। ସାମାଜିକ ,ଆଧ୍ୟାତ୍ମିକ ଓ ରାଜନୈତିକ ବିଷୟ ଉପରେ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖା ପ୍ରକାଶ ପାଉଥିଲା। ସେ କେଇ ଖଣ୍ଡ ପୁସ୍ତକ ବି ରଚନା କରିଛନ୍ତି। ତାଙ୍କ ଲିଖିତ ପୁସ୍ତକ ଭିତରେ ‘ଦ୍ରୁତ ବିଳମ୍ବିତ, ମନ୍ଥନ, ରୋମନ୍ଥନ ଓ ଅନନ୍ୟା ‘ ଅନ୍ୟତମ। ‘ସମୟର ଯେତେ ଢେଉ’ ତାଙ୍କ ଆତ୍ମଜୀବନୀମୂଳକ ଉପନ୍ୟାସ।
ଶରତ କରଙ୍କ ବିଶେଷତ୍ୱ ହେଉଛି ସେ ଅନର୍ଗଳ ଭାଷଣ ଦେଇ ପାରୁଥିଲେ। ରଥଯାତ୍ରା ସମୟରେ ଧାରା ବିବରଣୀ ପ୍ରଦାନ କରିବା ତାଙ୍କର ଅନ୍ୟ ଏକ ପରିଚୟ ଥିଲା। ଆକାଶବାଣୀ, ଦୂରଦର୍ଶନ ଓ ଘରୋଇ ଚ୍ୟାନେଲଗୁଡ଼ିକରେ ସେ ୪୫ ବର୍ଷ ଧରି ରଥଯାତ୍ରା ଧାରା ବିବରଣୀ ଦେଇ ଆସିଥିଲେ।
ଶରତ କରଙ୍କ ପତ୍ନୀ ଅନିମା କର ଇଂରାଜୀ ଭାଷାର ଜଣେ ଅବସରପ୍ରାପ୍ତ ପ୍ରଫେସର। ଅନିମା ଜଣେ ପ୍ରତିଷ୍ଠିତ ଗାୟିକା ମଧ୍ୟ। ୧୯୬୦ରୁ ୧୯୯୦ ମଧ୍ୟରେ ସେ ଆକାଶବାଣୀର ‘ଏ’ ଗ୍ରେଡ୍ କଳାକାର ଥିଲେ। ଶରତ କରଙ୍କ ଦୁଇ ପୁଅଙ୍କ ଭିତରୁ ବଡ଼ ପୁଅ ସୁମନ ଭୁବନେଶ୍ୱରର ଏକ କଲେଜରେ ଇଂରାଜୀ ବିଭାଗ ଅଧ୍ୟାପକ। ଦ୍ଵିତୀୟ ପୁତ୍ର ଶୋଭନ ଜଣେ ଆଇ ଆର୍ଏସ ଅଫିସର ଓ ସମ୍ପ୍ରତି ଦିଲ୍ଲୀରେ ଅବସ୍ଥାପିତ।










