ଓଡ଼ିଶାଲାଇଭ୍ ବ୍ୟୁରୋ
ମନେ ଅଛି କି ଲୋକପ୍ରିୟ ‘ଜହ୍ନମାମୁ’ ପତ୍ରିକାରେ ଦଶନ୍ଧି ଦଶନ୍ଧି ଧରି ପ୍ରକାଶ ପାଇଥିବା ବିକ୍ରମ ବେତାଳ କଥା ସିରିଜ୍ର ଏହି ଚିତ୍ର? ଏହାକୁ ଆଙ୍କିଥିବା ମହାନ ଚିତ୍ରଶିଳ୍ପୀ ଜଣକ ହେଉଛନ୍ତି ଶଙ୍କର। ମଙ୍ଗଳବାର ୯୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।
“ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ଵାନଶ୍ଵାପଦଙ୍କ ରଡ଼ି । ମଝିରେ ଶୁଭୁଥାଏ ଅଶରୀରିମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ଶୁନଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ‘ରାଜା…।’
ମନେ ଅଛି କି ବହୁ ଲୋକପ୍ରିୟ ‘ଜହ୍ନମାମୁ’ ପତ୍ରିକାର ବେତାଳ କଥା ସିରିଜ୍ର ଏହି ନିୟମିତ ଉପକ୍ରମ ? ମନେ ଅଛି କି ବେତାଳ ସିରିଜ୍ର ଏହି ରଙ୍ଗିନ ଚିତ୍ର। ରାଜା ବିକ୍ରମାର୍କଙ୍କ କାନ୍ଧରେ ବେତାଳ ସବାର ଥିବା ଶବ। ହାତରେ ତରବାରୀ। ଜହ୍ନମାମୁ ପତ୍ରିକାରେ ଏହି ଚିତ୍ରଟିକୁ ଦେଖିଦେଲେ ରାଜା ଓ ବେତାଳଙ୍କ କାହାଣୀକୁ ନେଇ ଆମ ପିଲା ମନ ପାଇଁ ବେଶ୍ ରୋମାଞ୍ଚିତ ଓ ଉତ୍କଣ୍ଠିତ ହୋଇପଡୁଥିଲା। ଏହି ଲୋକପ୍ରିୟ ଚିତ୍ରର ଚିତ୍ରକାର ଥିଲେ ଶଙ୍କର।
ଜହ୍ନମାମୁ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଶଙ୍କର ଥିଲେ ଶେଷତମ
ତାଙ୍କର ପୂରା ନାମ ଥିଲା କେ. ଚନ୍ଦ୍ରଶେଖରନ୍ ଶିବଶଙ୍କର। ୧୯୬୦ ମସିହାରେ ସେ ଏହି ଚିତ୍ରଟିକୁ ଆଙ୍କିଥିଲେ। ଜହ୍ନମାମୁର ବେତାଳ କଥା ସିରିଜରେ ତାହା ଦଶନ୍ଧି ଦଶନ୍ଧି ଧରି ନିୟମିତ ପ୍ରକାଶ ପାଇଆସୁଥିଲା। ଜହ୍ନମାମୁ ପତ୍ରିକା ସହ ଆରମ୍ଭରୁ ଜଡ଼ିତ ରହି ଆସିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ କେବଳ ଶଙ୍କର ହିଁ ଜୀବିତ ଥିଲେ। ଗତ ମଙ୍ଗଳବାରଠାରୁ ସେ ଇତିହାସ। ପତ୍ରିକା ସହ ସେ ସବୁଠାରୁ ଅଧିକ ସମୟ କାମ କରିଥିଲେ।
ସ୍କୁଲ ଶିକ୍ଷକଙ୍କ ପରାମର୍ଶରେ କଳା ବିଦ୍ୟାଳୟରେ ପଢ଼ିଲେ
୧୯୨୪ ଜୁଲାଇ ୧୯ରେ ତାମିଲନାଡୁର ଇରୋଡ଼ଠାରେ ଶଙ୍କରଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପା ଜଣେ ସ୍କୁଲ ମାଷ୍ଟର। ୪ ପୁଅ ଭିତରୁ ଶଙ୍କର ଜଣେ। ପିଲାଟି ଦିନରୁ ସେ ଚିତ୍ର କରିବାକୁ ଭଲ ପାଉଥିଲେ। ସ୍କୁଲ୍ରେ ରବିବାରିଆ କ୍ଲାସ୍ରେ ଅନ୍ୟ ପିଲାମାନଙ୍କ ଚିତ୍ର ଠିକ୍ ଭାବେ ଆଙ୍କିଦେବା ପାଇଁ ଶଙ୍କରଙ୍କୁ କହୁଥିଲେ କଳା ଶିକ୍ଷକ। ଏଥିପାଇଁ ତାଙ୍କୁ ପେନସିଲ୍, ରବର୍, କାଗଜ ଓ ରଙ୍ଗ ଉପହାର ରୂପରେ ମିଳୁଥିଲା। ସେହି ଶିକ୍ଷକ ଜଣଙ୍କ ହିଁ ଶଙ୍କରଙ୍କ ଚିତ୍ର ପ୍ରତି ନିଷ୍ଠା ଓ ଆଗ୍ରହ ଦେଖି ଅନ୍ୟ କିଛି ନ ପଢ଼ି କଳା ବିଦ୍ୟାଳୟରେ ପଢିବା ପାଇଁ ପରାମର୍ଶ ଦେଇଥିଲେ।
ନାଗି ରେଡ୍ଡୀ ତାଙ୍କୁ ଜହ୍ନମାମୁରେ ସୁଯୋଗ ଦେଇଥିଲେ
୧୯୪୧ରେ ଶଙ୍କର ମାଟ୍ରିକ ପରୀକ୍ଷା ପରେ ମାନ୍ଦ୍ରାଜ ସରକାରୀ କଳା ବିଦ୍ୟାଳୟରେ ଦାଖଲ ହୋଇଥିଲେ। ସେଠାରୁ ଶିକ୍ଷାପ୍ରାପ୍ତ ହୋଇ ସେ ପ୍ରଥମେ ‘କଲାଈମଗଲ’ ପତ୍ରିକାରେ ଯୋଗଦେଇ ପ୍ରାୟ ପାଞ୍ଚ ବର୍ଷ କାମ କରିଥିଲେ। ସେଠାରୁ ‘ଜହ୍ନମାମୁ’ ପତ୍ରିକାକୁ ଆସିଥିଲେ। ଏକଦା କଳା ବିଦ୍ୟାଳୟରେ ସହପାଠୀ ଥିବା ବି. ନାଗି ରେଡ୍ଡୀ ଶଙ୍କରଙ୍କୁ ‘ଜହ୍ନମାମୁ’କୁ ଡାକିନେଇଥିଲେ।
ବି. ନାଗି ରେଡ୍ଡୀ ହେଉଛନ୍ତି ଜଣେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା। ୧୯୪୭ରେ ଜହ୍ନମାମୁ ପତ୍ରିକାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। ନାଗି ରେଡ୍ଡୀ ଥିଲେ ଏହାର ପ୍ରତିଷ୍ଠାତା ସମ୍ପାଦକ। ତାଙ୍କ ନିମନ୍ତ୍ରଣକ୍ରମେ ଶଙ୍କର ୧୯୫୨ରେ ଜହ୍ନମାମୁରେ ଯୋଗ ଦେଇଥିଲେ।
ବହୁ ପୂର୍ବରୁ ଜହ୍ନମାମୁ ବନ୍ଦ ହୋଇସାରିଥିଲା। ଏବେ ଶଙ୍କରଙ୍କର ପରଲୋକ ପରେ ଜହ୍ନମାମୁ ସହ ସମ୍ପୃକ୍ତ ଥିବା ଶେଷ ବ୍ୟକ୍ତି ଜଣଙ୍କ ସହ ଗୋଟିଏ ସମୃଦ୍ଧ ଯୁଗର ଅବସାନ ଘଟିଛି।