ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରମ୍ପରିକ ପଦ୍ଧତିରେ ଜଉ କଣ୍ଢେଇ ନିର୍ମାଣ କରାଯାଇ ତାକୁ ବିଶ୍ୱ ସ୍ତରରେ ପରିଚିତ କରାଇବା ପାଇଁ ହୋଇଥିବା ଉଦ୍ୟମ ଏବେ ସଫଳ ହେବାକୁ ଯାଉଛି। ବାମପଦାସ୍ଥିତ ନୋସିଠାରେ ୬ ମାସ ତଳେ ଆରମ୍ଭ ହୋଇଥିବା ଜଉ କଣ୍ଢେଇ ନିର୍ମାଣ ଏବେ ଶେଷ ହୋଇଛି।

୮ଜଣ କାରିଗର ୨୦୧୭ ନଭେମ୍ବରରେ ଏହି ଜଉ କଣ୍ଢେଇ ନିର୍ମାଣ ଆରମ୍ଭ କରିଥିଲେ। ଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ଜଉ ଶିଳ୍ପୀ କନକଲତା ଦାସଙ୍କ ନେତୃତ୍ୱରେ ରମେଶ ମୁଦୁଲି, ମାୟାଧର ନାୟକ, ରାକେଶ ବେହେରା, ପୂଜା ମାଇତି, ଇତିଶ୍ରୀ ନାୟକ, ଅନିତା ସିଂ ପ୍ରମୁଖ ଏହାର ନିର୍ମାଣ କାମରେ ଲାଗିଥିଲେ।

ବର-କନ୍ୟା ଯୋଡ଼ିରେ ବର କଣ୍ଢେଇର ଉଚ୍ଚତା ୫ ଫୁଟ୍ ଏବଂ ଓସାର ୩ ଫୁଟ୍ ହୋଇଛି। କନ୍ୟା କଣ୍ଢେଇର ଉଚ୍ଚତା ୪ ଫୁଟ ୪ ଇଞ୍ଚ ଏବଂ ଓସାର ଅଢେଇ ଫୁଟ ରହିଛି।

ଟେରାକୋଟା କାମ ଉପରେ ୪ କିଲୋ ଓଜନର ଜଉ ଏଥିରେ ବ୍ୟବହୃତ ହୋଇଛି। ଜଉ ଏବଂ ରଙ୍ଗ ମିଶାଇ ହୋଇଥିବା କଣ୍ଢେଇ ନିର୍ମାଣରେ ୩୦ ହଜାର ଟଙ୍କା ବ୍ୟୟ ହୋଇଛି। ତେବେ ଏହି ଜଉ କଣ୍ଢେଇକୁ ଲିମକା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନିତ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶିଳ୍ପୀ କେଶୁ ଦାସ କହିଛନ୍ତି।

Comment