ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଚାଲିଛି। ବିଭିନ୍ନ ଚରିତ୍ର ପାଇଁ ଦୁଇଟି ପର୍ଯ୍ୟାୟରେ ଚୟନ କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ବଛା ହେବେ ଧନୁଯାତ୍ରାର ମୁଖ୍ୟ ନାୟକ କଂସ ମହାରାଜ। କଂସ ଭୂମିକାରେ ଅଭିନୟ କରିବାକୁ ଆଗେଇ ଆସିଛନ୍ତି ପ୍ରାୟ ୬୦ ପ୍ରତିଯୋଗୀ। ଶ୍ରେଷ୍ଠ ଅଭିନେତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ବରଗଡ଼ ଖୋଲା ମଞ୍ଚରେ ମିଳିବ ସୁଯୋଗ।

ଧନାଯାତ୍ରା ପାଇଁ କଳାକାର ଚୟନର ଦ୍ୱିତୀୟ ଦିନରେ ଚାଣୁର, ମୁଷ୍ଟିକ,ମହାମନ୍ତ୍ରୀ, ସାତ୍ୟକି ଏବଂ ଅକ୍ରୁର ଚରିତ୍ର ପାଇଁ ଅଡିସନ ହୋଇଥିଲା। ଚାଣୁର ଭୂମିକା ପାଇଁ ଆବେଦନ କରିଥିବା ୧୯ ଜଣଙ୍କ ମଧ୍ୟରୁ ୧୦ ଜଣ, ମୁଷ୍ଟିକ ପାଇଁ ୮ ଜଣ, ମହାମନ୍ତ୍ରୀ ପାଇଁ ୧୯ ଜଣ, ସାତ୍ୟକି ଚରିତ୍ର ପାଇଁ ୫ ଜଣ ଏବଂ ଅକ୍ରୁର ଚରିତ୍ରରେ ଅଭିନୟ ପାଇଁ ୧୧ ଜଣ କଳାକାର ଅଡିସନରେ ଭାଗ ନେଇଥିଲେ। ଏହା ପୂର୍ବରୁ ଗତ ୭ ତାରିଖରେ ପ୍ରଥମ ପର୍ଯ୍ୟୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।

ଏହି ଚୟନ ପ୍ରକ୍ରିୟାରେ ବିଚାରକ ଭାବରେ କଳାହାଣ୍ଡି ଜିଲ୍ଲାର ପ୍ରଦୀପ ଡି ମାଝୀ, ସମ୍ବଲପୁର ରୁ ବ୍ରଜେନ୍ଦ୍ର ନାୟକ, ବଲାଙ୍ଗୀରରୁ ଜମାଲ ଖାଁ, ଦେବଗଡ଼ ଜିଲ୍ଲାରୁ ହେମନ୍ତ ମହାପାତ୍ର ଏବଂ ବରଗଡ଼ ଜିଲ୍ଲାରୁ ଲିଟୁ ମହାନ୍ତି, ପଦ୍ମପୁରରୁ ଅଶୋକ ବହିଦାର ଏବଂ ବିଜେପୁରରୁ ଶିବଲାଲ ସାଗର ଯୋଗଦେଇ କଳାକାର ଚୟନ କରୁଛନ୍ତି।

ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟାକୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ଧନୁଯାତ୍ର ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଉଦଘାଟନ କରିଥିଲେ।

Tags: #BargarhDhanujatra #Audition #Kholamancha #Kalakar #Artist

Comment