ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର କିଛି ବର୍ଷର ବ୍ୟବଧାନ ପରେ ପୁଣି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚକୁ ଫେରିବେ ହୃଷିକେଶ ଭୋଇ। କଂସ ମହାରାଜା ହୋଇ ୧୧ ଦିନ ରାଜୁତି କରିବେ ଖୋଲା ମଞ୍ଚରେ।

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚରେ ପୁଣି ଥରେ କଂସ ମହାରାଜା ହେବେ ହୃଷିକେଶ ଭୋଇ। ଏଥର ଧନୁଯାତ୍ରାରେ ସେ ହେବେ ମହାନାୟକ। ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ଚରିତ୍ର ପାଇଁ ହୋଇଥିବା ଅଡିସନରେ ପ୍ରାୟ ୪୨ ଜଣ କଳାକାରଙ୍କୁ ପଛରେ ପକାଇ ଯୋଗ୍ୟ ବିବେଚିତ ହୋଇଛନ୍ତି ହୃଷିକେଶ।

ହୃଷିକେଶ ଭୋଇ ପେସାରେ ଜଣେ ଡ୍ରାଇଭର। କିନ୍ତୁ ନିଶା ତାଙ୍କର ଅଭିୟନ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଷିକେଶ ଡ୍ରାଇଭର ଭାବେ ସେ କାର୍ଯ୍ୟରତ। ପିଲାଟି ବେଳରୁ କଳା ପ୍ରତି ତାଙ୍କର ଆଗ୍ରହ ରହିଆସିଛି। ବିଭିନ୍ନ ମଞ୍ଚରେ ସେ ନିଜର ଅଭିନୟ ଦକ୍ଷତା ମଧ୍ୟ ଦେଖାଇଛନ୍ତି। ନିଜର ଅଭିନୟ ଦକ୍ଷତା ଯୋଗୁଁ ସେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚରେ କଂସ ମହାରାଜା ଭୂମିକାରେ ଅଭିନୟ କରିବାର ସୌଭାଗ୍ୟ ପାଇଛନ୍ତି।

୨୦୦୯ରୁ ୨୦୧୭ ମସିହା ପର୍ଯ୍ୟନ୍ତ, ୯ ବର୍ଷ ଧରି ହୃଷିକେଶ ଭୋଇ କଂସ ମହାରାଜା ହୋଇଥିଲେ। ପୁଣି ଏ ବର୍ଷ ଧନୁଯାତ୍ରାରେ ଶାସନ କରିବା ପାଇଁ ସୌଭାଗ୍ୟ ପାଇଛନ୍ତି ସେ।

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଗତ ୧୦ ତାରିଖରେ ଅଡିସନ ହୋଇଥିଲା। ୪୨ ଜଣ କଳାକାରଙ୍କ ଅଭିନୟ ଦକ୍ଷତା ଦେଖିବା ପରେ ବିଚାରକମାନେ ହୃଷିକେଶ ଭୋଇଙ୍କ ନାଁରେ ମୋର ମାରିଥିଲେ।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏ ବର୍ଷ ପାଳନ ହେବ ହୀରକ ଜୟନ୍ତୀ। ଏଥିପାଇଁ ଜୋରସୋର ଆୟୋଜନ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ହୀରକ ଜୟନ୍ତୀରେ କିଛି ନୂତନ କରିବାକୁ ଆଶା ରଖିଥିବା କହିଛନ୍ତି ହୃଷିକେଶ ଭୋଇ।

Tags: #BargarhDhanuJatra #KansaMaharaj #HrusikeshBhoi

Comment