ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯାଉଛି। ମଙ୍ଗଳବାର ଦିନ ସହରର ଗାନ୍ଧୀ ଛକଠାରୁ ବରଗଡ଼ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ମୋନିଷା ବାନାର୍ଜୀ। ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଗାନ୍ଧୀଛକରୁ ବାହାରି ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ପୀଠରେ ପହଞ୍ଚିଥିଲା। ସେଠାରେ ମା’ଙ୍କ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ପହଞ୍ଚି ଥିଲା ହାଟପଦାସ୍ଥିତ କଂସ ଦରବାରରେ।

ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ମୋଟ ୨୨ଟି ଦଳ। ପାରମ୍ପରିକ ନାଚ, ଗୀତରେ କମ୍ପି ଉଠିଛି ସମ୍ପୂର୍ଣ୍ଣ ବରଗଡ଼। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ ହେଉଥିବାରୁ ଏଥର ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଆଜିଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡ଼ର ଖୋଲା ମଞ୍ଚରେ ରାଜୁତି କରିବେ ମଥୁରା ନରେଶ କଂସ ମହାରାଜା।

କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ହେଲା ବରଗଡ଼ ଧନୁଯାତ୍ରାରୁ ବଞ୍ଚିତ ରହିଥିଲେ ଦର୍ଶକ। ଏବର୍ଷ ଆଡ଼ମ୍ବର ସହକାରେ ଉତ୍ସବର ଆୟୋଜନ କରାଯାଇଛି। ବରଗଡ଼ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଥମଥର ଲାଗି ମଞ୍ଚ ନିକଟରେ ଲେଜର ସୋ’ର ଆୟୋଜନ କରାଯାଇଛି।

ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ଘରଠାରୁ ବାହାରେ ରହିଥିବା ସଦସ୍ୟ ଘରକୁ ଫେରିଛନ୍ତି। ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ ମଧ୍ୟ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ ଦେଶ ବିଦେଶରୁ ମଧ୍ୟ ଦର୍ଶକ ଛୁଟି ଆସନ୍ତି ଦେଖିବାକୁ ବରଗଡ଼ର ଧନୁଯାତ୍ରା। ଚଳିତ ବର୍ଷ ଅଧିକ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Tag: #BargarhDhanujatra #Culture #WorldFamousBargarhDhanuJatra #Inauguration

Comment