ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବୁଧବାର ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିବସରେ ପ୍ରବଳ ପ୍ରତାପୀ କଂସ ମହାରାଜାଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡ଼ିଥିବାବେଳେ କାରାଗାରରେ ଜନ୍ମ ନେଇଛନ୍ତି ଭଗବାନ ଶ୍ରୀକୃଷ୍ଣ। ଅନ୍ୟ ପକ୍ଷରେ କଂସ ମହାରାଜାଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡ଼ିଆରେ ଉଦଘାଟିତ ହୋଇଯାଇଛି ରଙ୍ଗମହଲ।

ଆଜି ମହାରାଜା କଂସ ପାତ୍ରମନ୍ତ୍ରୀଙ୍କ ସହିତ ନଗର ଭ୍ରମଣରେ ବାହାରି ପ୍ରଜାମାନଙ୍କ ସୁଖଦୁଃଖ ବୁଝିଛନ୍ତି। ଧୀରେ ଧୀରେ ମହାରାଜା କଂସଙ୍କ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଏପରି ସ୍ଥିତିରେ ମହାରାଜା କଂସଙ୍କ ମନୋରଞ୍ଜନ ପାଇଁ ଲୋକମଣ୍ଡପ ପଡ଼ିଆରେ ଉଦଘାଟିତ ହୋଇଯାଇଛି ରଙ୍ଗମହଲ। ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରଙ୍ଗମହଲ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ସଂଯୋଜନା କରିଥିବାବେଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ନଗରପାଳ କଳ୍ପନା ମାଝି, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ କୃତିବାସ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରଙ୍ଗମହଲ କମିଟିର ଆବାହକ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରଙ୍ଗମହଲରେ ମହାରାଜା କଂସ ନୃତ୍ୟ ଗୀତରେ ମଜ୍ଜି ଯାଇଥିଲେ। ଏହାର ଦାୟିତ୍ୱ ସେନାପତି ସାତ୍ୟକିଙ୍କ ହାତରେ ଅର୍ପଣ କରିଥିଲେ। ନିଜ ପିତା ଉଗ୍ରସେନଙ୍କୁ ରାଜସିଂହାସନରୁ ବେଦଖଲ କରି ଯୁବରାଜ କଂସ ମଥୁରା ସିଂହାସନ ଆରୋହଣ କରି ଆରମ୍ଭ କରି ଦେଇଛନ୍ତି ତାଙ୍କର ଅନ୍ୟାୟ, ଅତ୍ୟାଚାର। ଆଉ ସେଥିରୁ ମୁକୁଳି ପାରିନାହାନ୍ତି କଂସଙ୍କ ପରିବାର ବର୍ଗ ତଥା ସମଗ୍ର ମଥୁରାପୁରବାସୀ।

ରାଜ୍ୟାଭିଷେକ ପରେ ଦେବକୀଙ୍କ ଅଷ୍ଟମ ଗର୍ଭ କଂସଙ୍କ ମୃତ୍ୟୁର କାରଣ ହେବା ଜାଣି ଭୟରେ ମହାରାଜା କଂସ ମଥୁରା ନଗରୀର ପ୍ରଜା ତଥା କାରାଗାରରେ ଥିବା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଥିଲେ। ଦ୍ୱାରପାଳଙ୍କଠାରୁ ଖବର ପାଇ ଦେବକୀଙ୍କ ଗୋଟିଏ ପରେ ଗୋଟିଏ ୬ଟି ସନ୍ତାନକୁ ନିର୍ମମ ଭାବେ ଶିଳାରେ କଚାଡ଼ି ହତ୍ୟା କରି ମହାରାଜା କଂସ ନିଜର ଅସୁରତ୍ୱକୁ ପ୍ରମାଣିତ କରିଛନ୍ତି।

ଜଗତପାଳ ବିଷ୍ଣୁ ଯୋଗ ବଳରେ ଦେବକୀଙ୍କର ସପ୍ତମ ଗର୍ଭକୁ ହରଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରବଳ ବର୍ଷା ମଧ୍ୟରେ ନିଷିଦ୍ଧ ରାତ୍ରୀର ଦ୍ୱିତୀୟ ପ୍ରହରରେ ମଥୁରା କାରାଗାର ମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଲାଭ ନେଇଛନ୍ତି ଶ୍ରୀକୃଷ୍ଣ ଅବତାରରେ ଭବଗାନ ବିଷ୍ଣ। କଂସ ଦ୍ୱାରା ନିଜ ସନ୍ତାନଙ୍କ  ହତ୍ୟା ଆଶଙ୍କା କରି ଦେବକୀ ବସୁଦେବ ନାରାୟଣଙ୍କୁ ସ୍ମରଣ କଲିବା ପରେ ଜଗତକର୍ତ୍ତାଙ୍କ ମାୟାବଳରେ କାରାଗାରର ଦ୍ୱାର ଖୋଲିଯାଇଛି। ଶ୍ରୀକୃଷ୍ଣକୁ ନେଇ ବସୁଦେବ ଗୋପପୁର ଯାତ୍ରା କରିବା ସମୟରେ ନଗର ସୀମାନ୍ତରେ ସୀମାନ୍ତରକ୍ଷୀ ଉଗ୍ରସେନଙ୍କ ସହିତ ସାକ୍ଷାତ କରି ଉଛୁଳା ଯମୁନା ନଦୀ ପାର ହୋଇ ଗୋପପୁରରେ ପହଞ୍ଚିଛନ୍ତି ବସୁଦେବ। ନନ୍ଦ ରାଜାଙ୍କ ବାସଭବନରେ ପହଞ୍ଚି ନିଦ୍ରିତ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ରଖି ବିଜୁଳି କନ୍ୟାଙ୍କୁ ନେଇ ମଥୁରା କାରାଗାରକୁ ଫେରିଛନ୍ତି ବସୁଦେବ।

ଅନ୍ୟପଟେ ରାଜଦରବାରରେ ଦୁର୍ମିଳାସୁର ନିଜକୁ କଂସଙ୍କ ପିତା ବୋଲି ପ୍ରକାଶ କରିବା ପରେ ମହାରାଜ କଂସ ଦୁର୍ମିଳାସୁରକୁ ବଧ କରି ନିଜର ସୁରକ୍ଷା ପାଇଁ ମଲ୍ଲଯୋଦ୍ଧା ଚାଣୁର ଓ ମୁଷ୍ଟିକକୁ ଆହ୍ୱାନ ଦେଇଛନ୍ତି ପ୍ରବଳ ପ୍ରତାପି କଂସ। ନିଜର ଅନ୍ତରରେ ଥିବା ମୃତ୍ୟୁ ପ୍ରତି ଭୟ କଂସାସୁରକୁ କରିଦେଇଛି ଉନ୍ମାଦ। ସେଥିରୁ ମୁକୁଳିବା ପାଇଁ ସ୍ୱୟଂ ମଥୁରାଧିପତି ସୁରା ପାନ କରି ମତୁଆଲା ହୋଇ ନୃତ୍ୟଗୀତର ଆଦେଶ ଦେଇଛନ୍ତି।

ଦ୍ୱିତୀୟ ଦିବସରରେ ମହରାଜ କଂସଙ୍କ ରାଜଦରବାର ଏବଂ ରଙ୍ଗମହଲରେ କଟକର ବବିତା ସ୍ୱାଇଁଙ୍କ ଓଡ଼ିଶୀ ନୃତ୍ୟ ଦଳ, ବାଲିପାଟଣାର ଜୟଦେବ ଗୋଟିପୁଅ ନୃତ୍ୟ ପ୍ରତିଷ୍ଠାନ, ଗଞ୍ଜାମ ନରେନ୍ଦ୍ରପୁରର ରାଜେନ୍ଦ୍ର ମହାପାତ୍ରଙ୍କ ଯୋଡ଼ି ଶଙ୍ଖ, କୋଲକତାର ନନ୍ଦିନୀ ମଲ୍ଲିକ ଓ ସାଥୀଙ୍କ ନୃତ୍ୟ ଦଳ, ଗାଇସିଲେଟ ବୁତିବାହାଲର ଦୁଲଫୁଲ ଦଳର ସମ୍ବଲପୁରୀ ନୃତ୍ୟ, ଭଟଲି ବାରପାହାଡ଼ କଳା ପରିଷଦର ସମ୍ବଲପୁରୀ ନୃତ୍ୟ, ବଲାଙ୍ଗୀରର ଘୁଙ୍ଗୁରୁ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲେଟ ସରଧାପାଲିର ସାଂସ୍କୃତିକ ଅନୁଷ୍ଠାନ ସରଗମଲି, ସମ୍ବଲପୁର ସାଂସ୍କୃତିକ ଅନୁଷ୍ଠାନ, କୁମ୍ଭାରୀର ବ୍ରଜେଶ୍ୱରୀ କଳା ପରିଷଦ, କୋରାପୁଟର ସାଗର ବିଶୋଇ ଓ ସାଥୀ ନୃତ୍ୟ ପରିବେଷଣ କରିଥିଲେ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapura

Comment