ଓଡ଼ିଶାଲାଇଭ୍ବ୍ୟୁରୋ

୧୧ଦିନ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ଜାଣନ୍ତୁ କିଏ ତାଙ୍କର ଏହି ପୋଷାକ ତିଆରି କରନ୍ତି?

  • କଂସଙ୍କ ପୋଷାକରେ ଲାଗେ ମୋତି, ଜରି ପିତ୍ତଳ ସାମଗ୍ରୀ
  • ଚେନ୍ନାଇରୁ ଆସେ ରତ୍ନ ପଥର
  • ୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ ମହାରାଜା

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି ପ୍ରବଳ ପ୍ରତାପି କଂସ ମହାରାଜା। ତାଙ୍କ ଗର୍ଜନରେ କମ୍ପିଉଠେ ବରଗଡ଼। ଦେଖିବାକୁ ଗଲେ କଂସ ମହାରାଜାଙ୍କର ପୋଷାକ ଏବଂ କହିବାର ଶୈଳୀ ହିଁ ବରଗଡ଼ ଧନୁଯାତ୍ରାକୁ ଅଧିକ ଲୋକପ୍ରିୟ କରିପାରିଛି।

କଂସ ମହାରାଜାଙ୍କୁ ଦେଖିବା ପାଇଁ ଭାରତ ସମେତ ଦେଶ ବାହାରୁ ବହୁ ଦର୍ଶକ ବରଗଡ଼କୁ ଛୁଟି ଆସନ୍ତି। ୧୧ ଦିନର ଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି କଂସ ମହାରାଜା ରଙ୍ଗମହଲରେ ବିଜେ କରିଥାନ୍ତି। ମଥୁରା ନରେଶଙ୍କର ପୋଷାକ, ଆଭୂଷଣ ପ୍ରତିବର୍ଷ କିପରି ଆକର୍ଷଣୀୟ ହେବ ସେଥିପାଇଁ ବର୍ଷ ବର୍ଷ ଧରି ଦେବାନନ୍ଦ ସାହୁ (ବାଙ୍କାବାବୁ) ଉଦ୍ୟମ କରି ଆସୁଛନ୍ତି।

 ପୋଷାକ ତିଆରି ପଛରେ ଦେବାନନ୍ଦ ସାହୁ

ଧନୁଯାତ୍ରା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଦେବାନନ୍ଦ ସାହୁ (ବାଙ୍କା ବାବୁ) ପୋଷାକ ତିଆରି କାମରେ ଲାଗି ପଡ଼ନ୍ତି। ବାଙ୍କାବାବୁଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧି ବରଗଡ଼ କଂସ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ଦେବାନନ୍ଦଙ୍କ ପୂରା ପରିବାର ଏହି କଂସ ମହାରାଜଙ୍କ ପୋଷାକ ପ୍ରସ୍ତୁତିରେ ଲାଗି ପଡ଼ନ୍ତି। କେବଳ କଂସ ମହାରାଜା ନୁହେଁ କୃଷ୍ଣ ଏବଂ ବଳରାମଙ୍କ ପୋଷାକରେ ଶେଷ ସ୍ପର୍ଶ ଦେଇଥାନ୍ତି ବାଙ୍କାବାବୁ। ସେ ମଥୁରା ରାଜ ଦରବାରର ଅନ୍ୟ ମନ୍ତ୍ରୀଙ୍କ ପାଇଁ ମଧ୍ୟ ୧୧ ଦିନରେ ୧୧ ପ୍ରକାରର ପୋଷାକ ତିଆରି କରିଥାନ୍ତି।

ପ୍ରତିବର୍ଷ କଂସଙ୍କ ପାଇଁ ନୂଆ ନୂଆ ପୋଷାକ ତିଆରି କରାଯାଇଥାଏ। ଏଥିରେ କିଛି ନୂଆ ଡିଜାଇନ୍‌ର ଛାପ ଦେଖିବାକୁ ମିଳିଥାଏ। ଏହାସହ ୧୧ ଦିନ ଧରି ସମସ୍ତ କଳାକାରଙ୍କୁ ବାଙ୍କା ବାବୁ ଭିନ୍ନ ଭିନ୍ନ ଗେଟଅପ୍‌ରେ ସଜେଇ ଦିଅନ୍ତି।

କଟକ ଏବଂ କଲିକତାରୁ ଆସେ ମୋତି-ଜରି

କଂସ ମହାରାଜା ଏବଂ କଂସ ଦରବାରର ଅନ୍ୟ ସଦସ୍ୟମାନଙ୍କ ପୋଷାକକୁ ଆକର୍ଷଣୀୟ କରାଯାଇଥାଏ। ପୋଷାକରେ ଲାଗୁଥିବା ମୋତି-ଜରି କଟକ ଏବଂ କଲିକତାରୁ ଆସୁଥିବା ବେଳେ ପିତ୍ତଳ ସାମଗ୍ରୀ ଏବଂ କିଛି ରତ୍ନ ପଥର ଚେନ୍ନାଇରୁ ଆସିଥାଏ।

 କଂସ ଭୂମିକାରେ ଅଭିନୟ କରିଛନ୍ତି ଜଣ

ଧନୁଯାତ୍ରା ଆରମ୍ଭ ହେବା ବେଳେ ବୁନ୍ଦି ରଥ ହେଉଥିଲେ ମଥୁରା ନରେଶ। ଏହାପରେ ଭିମ ଦାସ ଏବଂ ଯୁଧିଷ୍ଠିର ଶତପଥୀ ରଙ୍ଗମହଲରେ କଂସ ଭୂମିକାରେ କରିଥିଲେ ଅଭିନୟ। ଯୁଧିଷ୍ଠିର ୨୦ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଉଚ୍ଚକୋଟୀର ଥିବାରୁ ତାଙ୍କୁ ସମସ୍ତେ ମହାରାଜ ଭାବେ ସମ୍ବୋଧନ କରୁଥିଲେ। ଏହାପରେ ନୀଳାଚଳ ନାୟକ, ରାଧେଶ୍ୟାମ ଗଉନ୍ତିଆ, ଗୋପାଳ ସାହୁ, ହୃଷିକେଶ ଭୋଇ ଏବଂ ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିଛନ୍ତି। ଚଳିତ ବର୍ଷ ବରଗଡ଼ ଧନୁଧାତ୍ରାରେ ହୃଷିକେଶ ଭୋଇ ପୁଣି ଥରେ କଂସ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

Tags: #BargarhDhanuJatra #WorldFamousDhanuJatra #KansaMaharaj #DressesofMaharajKansa

Comment