ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ଧନୁଯାତ୍ରାରେ ଅଭିନୟ କରିବା ପାଇଁ ଅଭିଜ୍ଞ ଯୁବ କଳାକାରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ସୋମବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ଧନୁଯାତ୍ର ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପ୍ରଥମ ଦିବସରେ ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଏବଂ ସେନାପତି ଭୂମିକାରେ ଅଭିନୟ କରିବା ପାଇଁ କଳାକାରମାନଙ୍କ ଅଭିନୟ ଦକ୍ଷତା ପରଖି ଥିଲେ ଚୟନକର୍ତ୍ତା। ଉଗ୍ରସେନ ଚରିତ୍ର ପାଇଁ ୭ ଜଣ ଆବେଦନ କରିଥିବାବେଳେ ୬ ଜଣ କଳାକାର ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ।

ସେହିପରି ବସୁଦେବ ପାଇଁ ୧୯ ଜଣ କଳାକାରଙ୍କ ମଧ୍ୟରୁ ୧୪ ଜଣ, ଦେବକୀ ପାଇଁ ୮ ଜଣଙ୍କ ମଧ୍ୟରୁ ୪ ଜଣ, ସେନାପତି ପାଇଁ ୩୭ ଜଣଙ୍କ ମଧ୍ୟରୁ ୨୪ ଜଣ, ନାରଦ ପାଇଁ ୧୪ ଜଣଙ୍କ ମଧ୍ୟରୁ ୭ ଜଣ କଳାକାର ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ବହୁ ଅଭିଜ୍ଞ ଯୁବ କଳାକାର ଚୟନ ପ୍ରକ୍ରିୟାରେ ଭାଗ ନେଇଥିବା ଦେଖିବାକୁ ମିଳିଛି।

କଲାହାଣ୍ଡିରୁ ନାଟ୍ୟ ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ ମାଝି, ବଲାଙ୍ଗୀରରୁ ନାଟ୍ୟ ନିର୍ଦ୍ଦେଶକ ଜମାଲ ଖାଁ, ସମ୍ବଲପୁରରୁ ନିର୍ଦ୍ଦେଶକ, ଲେଖକ ତଥା ସଙ୍ଗୀତ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ନାୟକ, ଦେବଗଡ଼ରୁ ଅଭିନେତା, ନିର୍ଦ୍ଦେଶକ ହେମନ୍ତ ମହାପାତ୍ର, ବରଗଡ଼ରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି, ବିଜେପୁରରୁ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଶିବଲାଲ ସାଗର ଏବଂ ପଦ୍ମପୁରରୁ ଲେଖକ ନିର୍ଦ୍ଦେଶକ ଅଶୋକ ବହିଦାର ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ।

ନଭେମ୍ବର ୯ ତାରିଖରେ ଚାଣ୍ଡୁର, ମୁଷ୍ଟିକ, ମହାମନ୍ତ୍ରୀ, ଅକ୍ରୁର ଏବଂ ସାତ୍ୟକୀ ଏବଂ ୧୦ ତାରିଖରେ ମହାରାଜ କଂସ ଭୂମିକା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ କଳାକାର ସମନ୍ୱୟ ସମିତି ତରଫରୁ ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା, ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା, ନାଟ୍ୟକାର ନକୁଲ ବାଦୀ, ପ୍ରଶାନ୍ତ ମହାପାତ୍ର, ସୁନିଲ ମହାପାତ୍ର, ପ୍ରଭାସ ମହଲା ଏବଂ ଗୁରୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Bargarh #Dhanujatra #WorldFamousDhanujatra #Artist #Audition

Comment