ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଭୁବନେଶ୍ୱରର ପ୍ରିୟଙ୍କା ସାହାଣୀ। ପେସାରେ ସେ ଜଣେ ସଫ୍ଟଓ୍ୱେୟାର ଡେଭଲୋପର କିନ୍ତୁ ନିଶା ତାଙ୍କର ଚିତ୍ର ଆଙ୍କିବା। ଚାକିରି ଜୀବନରୁ ସମୟ ବାହାର କରି ସେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କୁଛନ୍ତି। ଚିତ୍ରକଳା ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶରେ ପ୍ରଦର୍ଶନ କରିବା ହେଉଛି ତାଙ୍କର ଲକ୍ଷ୍ୟ।

ପ୍ରିୟଙ୍କାଙ୍କ ପ୍ରକୃତ ଘର କେନ୍ଦ୍ରାପଡ଼ା ଜିଲ୍ଲା। ସେ ଦୀର୍ଘ ବର୍ଷରୁ ରାଜଧାନୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ରହୁଛନ୍ତି।  ଏବେ ସେ ବେଙ୍ଗାଳୁରର ଏକ କମ୍ପାନିରେ କାମ କରନ୍ତି। ପ୍ରିୟଙ୍କାଙ୍କ କହିବା ଅନୁସାରେ କରୋନା କାଳରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯିବା ପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। ସେହି ସମୟରେ ତାଙ୍କୁ ବିଭିନ୍ନ କାମରେ ବ୍ୟସ୍ତ ରହିବାକୁ ପରାମର୍ଶ ଦିଆଯାଇଥିଲା। ତେଣୁ ନିଜକୁ ବ୍ୟସ୍ତ ରଖିବା ପାଇଁ ଦିନରାତି ଚିତ୍ର ଆଙ୍କୁଥିଲେ ସେ। ଧୀରେ ଧୀରେ ଚିତ୍ର ଆଙ୍କିବା ତାଙ୍କ ନିଶା ପାଲଟିଗଲା।

ତାଙ୍କର ଏହି ପ୍ରତିଭା ଯୋଗୁଁ ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେ କୃତିତ୍ଵ ଲାଭ କରିଛନ୍ତି। ପତ୍ର, ଫୁଲ ,ଫଳ, ଟୋପି, ଫ୍ୟାନ, ଆଉ ଖଡ଼ିରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି। ଏହାଛଡ଼ା ସେ ଫେସ୍‌ ଆର୍ଟ, ନେଲ ଆର୍ଟ ମଧ୍ୟ କରନ୍ତି।

‘‘ମୁଁ ଚିତ୍ର ଆଙ୍କିବା ପାଇଁ କୌଣସି ତାଲିମ ନେଇ ନାହିଁ। ମୋ ବାପା ଜଣେ ଭଲ ଚିତ୍ରକର ଥିଲେ। ମୁଁ ପିଲାବେଳୁ ତାଙ୍କଠାରୁ ଦେଖି ଘର ଚଟାଣରେ ଚକ୍‌ ଖଡ଼ିରେ ଚିତ୍ର କରୁଥିଲି। ତା’ ପରେ ମୋର ବି ଚିତ୍ର ପ୍ରତି ଆଗ୍ରହ ହେଲା। ମୁଁ ଯେତେବେଳେ ସମୟ ପାଏ ସେତେବେଳେ ଚିତ୍ର କରେ’’, କହିଛନ୍ତି ପ୍ରିୟଙ୍କା ସାହାଣୀ।

ନିକଟରେ ପ୍ରିୟଙ୍କା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜ ଚୋପ୍ରାଙ୍କର ଏକ ସୁନ୍ଦର ଛବି ଆଙ୍କିଥିଲେ। ସେହି ଚିତ୍ର ସେ ଏକ ଗହଣା ବାକ୍ସରେ କରିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା।

ସେହିପରି ଏକ ଦୀପର ପଛପଟେ ବଲିଉଡ ଅଭିନେତା ସୋନୁ ସୁଦଙ୍କର ଚିତ୍ର ଆଙ୍କି ସେ ଚର୍ଚ୍ଚିତ ହୋଇଥିଲେ। ଏହି ଫଟୋକୁ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ଆକଉଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ଅଭିନେତା ସୋନୁ ବି ପ୍ରତିକ୍ରିୟା ଦେଇଥିଲେ। କେବଳ ସେତିକି ନୁହେଁ ସେହି ପୋଷ୍ଟକୁ ସୋନୁ ନିଜ ଆକାଉଣ୍ଟରୁ ମଧ୍ୟ ସେୟାର କରିଥିଲେ।

‘‘ଚିତ୍ରରୁ ରୋଜଗାର ହେଉଛି। ଲୋକେ ଅର୍ଡର ଦେଉଛନ୍ତି। କିନ୍ତୁ ଯେହେତୁ ମୁଁ ଏକ କମ୍ପାନିରେ କାମ କରୁଛି ସେଥିପାଇଁ ବେଶୀ ସମୟ ଦେଇପାରୁନି। କାରଣ ବ୍ୟବସାୟିକ ଦୃଷ୍ଟିରୁ ଚିତ୍ର ଆଙ୍କିଲେ ଚାକିରିକୁ ସମୟ ଦେଇପାରିବିନି’’, କହିଛନ୍ତି ପ୍ରିୟଙ୍କା।

ତେବେ ଆଗକୁ ଚିତ୍ରକଳା ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତିକୁ ଆହୁରି ଆଗକୁ ନେବାକୁ ଚାହୁଁଛନ୍ତି ପ୍ରିୟଙ୍କା। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।

Comment