ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମହାମାରୀ କରୋନା ପାଇଁ ଦେଶରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗାଁ ଗହଳିର ସ୍ୱେଚ୍ଛାସେବୀ ଯାଏଁ ସମସ୍ତେ କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲାଗି ପଡ଼ିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳର ଜଣେ ଯୁବ ଚିତ୍ରକର କାନ୍ଥବାଡ଼ରେ ଚିତ୍ରଆଙ୍କି କରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି।

ଚିତ୍ରକର ଜଣକ ହେଉଛନ୍ତି ବିଷମକଟକ ସହରର ସାଇରାମ ପଟ୍ଟନାୟକ। କରୋନାର ଭୟାବହତାକୁ ନେଇ ଗାଁ ଗଣ୍ଡାରେ ଚିତ୍ରଆଙ୍କି ଲୋକଙ୍କ ନିକଟରେ କରୋନା ସଂକ୍ରମଣରୁ ବର୍ତ୍ତିବାର ଉପାୟ ପହଞ୍ଚାଇବାରେ ଲାଗିପଡିଛନ୍ତି। ଲକ୍‍ ଡାଉନ୍‍ ନିୟମ ପାଳନ କରି ଘରେ ରହିବା, ହାତ ଧୋଇବା, ସାମାଜିକ ଦୂରତ୍ୱ ରଖି ଚଳିବା, ମାସ୍କ ପିନ୍ଧିବା ଆଦି ବାର୍ତ୍ତାକୁ ଚିତ୍ର ମାଧ୍ୟମରେ ଅତି ସୁନ୍ଦର ଭାବରେ କାନ୍ଥ ବାଡରେ ଆଙ୍କି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସାଇରାମ।

corona

ଚିତ୍ରକର ଭାବେ ପରିବାର ପ୍ରତିପୋଷଣ କରୁଥିବା ସାଇରାମ ସମ୍ପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ଆରମ୍ଭ କରିଛନ୍ତି ଏଭଳି ଅଭିଯାନ। ତାଙ୍କର ଏଭଳି କ୍ଷୁଦ୍ର ଅଭିଯାନ ଲୋକଙ୍କ ଜୀବନରକ୍ଷାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ସାଇରାମ। ସେହିପରି ଏଭଳି ମହତ୍ତ୍ୱ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।

ସାରା ବିଶ୍ଵରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ଆମେରିକା, ଇଟାଲୀ, ଚୀନ ଓ ଫ୍ରାନ୍ସ ଭଳି ଦେଶରେ ଅନେକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଭାରତ ମଧ୍ୟ ଏଥିରୁ ବର୍ତ୍ତି ନାହିଁ। ଦେଶରେ ଏପର୍ଯ୍ୟନ୍ତ ୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩୭୭ ଜଣ ପ୍ରାଣ ହରାଇଛନ୍ତି।

Comment