ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଏଥର ରଥଯାତ୍ରାରେ ପ୍ରତିବନ୍ଧ ସାଜିଛି କରୋନା କଟକଣା। ଫଳରେ ରାୟଗଡ଼ାର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଗଡ଼ିବନି ରଥ। ମହାମାରୀ କରୋନା ସକାଶେ ଶ୍ରୀଜୀଉଙ୍କ ରଥ ଯାତ୍ରାରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ଚଳିତ ଥର ରଥଯାତ୍ରା ଆୟୋଜନ ନକରି ପଦ ଯାତ୍ରା ଯୋଗେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରକୁ ଆଣିବାକୁ ରାଜପୁରୋହିତ ବାଲୁଙ୍କେଶ୍ୱର ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିବା ବେଳେ ବିଭାଗୀୟ ଅଧିକାରୀ ଏଥିରେ ସହମତି ପ୍ରକାଶ କରିନଥିଲେ। କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ଶତାଧିକ ଶ୍ରଦ୍ଧାଳୁ ରଥଯାତ୍ରା ଅବସରରେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ସମାଗମ ହେବ। ତେଣୁ ଏଭଳି ପରିସ୍ଥିତିରେ ସମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ନିୟମ ସମସ୍ତେ ମାନିବା କଷ୍ଟସାଧ୍ୟ ହୋଇପଡିବ।

ତେବେ ମନ୍ଦିର ପରିସରରେ ମହାବାହୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବା ସହ ଜଗନ୍ନାଥ ମନ୍ଦିର ପରିସରରେ ହିଁ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ମନ୍ଦିର ବେଡ଼ା ଭିତରେ ନୀତିକାନ୍ତି ସମ୍ପନ୍ନ କରିବା ଆଦୌ ଉପଯୁକ୍ତ ନୁହେଁ ବୋଲି ରାଜପୁରୋହିତ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ନିର୍ଦ୍ଦେଶାବଳୀ ଓ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।

ରାୟଗଡାରେ ୨୦ରୁ ଉର୍ଦ୍ଧ୍ୱ ସ୍ଥାନରେ ମହାବାହୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ  ସର୍ବପୁରାତନ ପାଇକପଡା, ବିଷମକଟକ, ମୁନିଗୁଡା, କଲ୍ୟାଣସିଂପୁର, କାଶୀପୁର, ଗୁଣୁପୁର ଇତ୍ୟାଦି ଅଞ୍ଚଲରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ତେଣୁ କରୋନା ଲାଗି ଉପରୋକ୍ତ ସମସ୍ତ ସ୍ଥାନରେ ପ୍ରଭୁଙ୍କ ରଥ ଗଡିବାକୁ ନେଇ ପ୍ରତିବନ୍ଧ ଲଗାଯାଇଛି। ମନ୍ଦିର ପ୍ରାଙ୍ଗଣରେ ଏଥର ରଥଯାତ୍ରା ଅନୁଷ୍ଠିତ କରିବାକୁ ସମ୍ପୃକ୍ତ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comment