ଯଶୋବନ୍ତ ନାରାୟଣ ପାଢ଼ୀ

ବୟସ ୬୩ ବର୍ଷ। ହେଲେ ଚିତ୍ରଶିଳ୍ପୀ ଟି ପ୍ରଭାକର ରାଓଙ୍କ ମନରେ ଭରି ରହିଛି ଅନେକ ଆଶା ଏବଂ ସ୍ୱପ୍ନ। ବୟସ ଯେତିକି ବଢ଼ୁଛି ଚିତ୍ର ଆଙ୍କିବା ନିଶାରେ ସେ ସେତିକି ମସଗୁଲ ହେଉଛନ୍ତି। କେବଳ ଚିତ୍ର ଆଙ୍କିବା ନୁହେଁ, ପ୍ରତିମୂର୍ତ୍ତି ନିର୍ମାଣ କରି ସେ ରାଜ୍ୟ ଏବଂ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି।

ବିଶାଖାପାଟଣା: ଟି ପ୍ରଭାକର ରାଓ। ଓଡ଼ିଶାର ରେଶମ ସହର ବ୍ରହ୍ମପୁର ଉପକଣ୍ଠ ସମୁଦ୍ରକୂଳିଆ ଗ୍ରାମ ଗୋପାଳପୁରରେ ୧୯୫୫ ମସିହା ଜୁଲାଇ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଜନ୍ମ ହେବାର ମାତ୍ର ୨ ମାସ ପରେ ନିଜ ବାପା ଟି. ନରସିଂହଙ୍କ ଅକାଳ ବିୟୋଗ ଘଟିଥିଲା। ଫଳରେ ପ୍ରଭାକର ନିଜ ଅଜା ସିଏଚ ଲିଙ୍ଗରାଜ ଆଚାରୀଙ୍କ ପାଖରେ ରହିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ଇଚ୍ଛାପୂରମଠାରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ।

୧୯୭୫ ମସିହାରେ ସେ ଆନ୍ଧ୍ରପ୍ରଦେଶର ଜୁନିୟର କଲେଜରୁ ଯୁକ୍ତ ଦୁଇ ପାସ୍ କରିଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସ୍ଵଛଳ ନଥିବାରୁ ସେ ପାଠପଢ଼ାରେ ଡୋରି ବାନ୍ଧି ସୁନା ରୂପା ଅଳଙ୍କାର ଗଢ଼ିବା ବୃତ୍ତିକୁ ଆପଣାଇଥିଲେ। କିନ୍ତୁ ଚିତ୍ର ଆଙ୍କିବା ଓ ମୂର୍ତି ଗଢିବାରେ ପ୍ରଭାକରଙ୍କ ବହୁତ ଦୁର୍ବଳତା ରହିଥିଲା। ୧୯୭୮ ମସିହାରେ ବ୍ରହ୍ମପୁର ଖଲିକୋଟ ଆର୍ଟ କଲେଜରୁ ଡିପ୍ଲୋମାରେ ଡିଗ୍ରୀ ହାସଲ କରିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା ଏବଂ ସେ ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଚାଲିଥିଲେ।

ଓଡିଶା ସରକାରଙ୍କ ପକ୍ଷରୁ ୧୯୮୨ ମସିହାରେ ପ୍ରଭାକରଙ୍କୁ ରାୟଗଡ଼ା ମହିଳା ହାଇସ୍କୁଲରେ ଆର୍ଟ ଶିକ୍ଷକ ରୂପେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ୧୯୮୭ ମସିହାରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତି ପାଇବାପରେ ୧୯୯୦ ମସିହାଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ନାଭାଲ ଡ଼କୟାଡ଼ରେ ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ଚାଲିଆସିଥିଲେ ପ୍ରଭାକର। ୨୦୧୧ ମସିହାଠାରୁ ବିଜୟନଗରମ କେନ୍ଦ୍ରୀୟ ବିଦ୍ୟାଳୟର ଆର୍ଟ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ ପ୍ରଭାକର।

୨୦୧୫ରେ ସେ ବିଶାଖାପାଟଣା କେନ୍ଦ୍ରୀୟ ବିଦ୍ୟାଳୟରୁ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ ପରେ ସେ ସମୟର ଅପବ୍ୟୟ ନକରି ନିଜର ଚିତ୍ର ଆଙ୍କିବା ନିଶାରେ ନିଜକୁ ନିୟୋଜିତ କରିଛନ୍ତି।

ରାୟଗଡ଼ାରେ ଚାକିରୀ କରିବା ସମୟରେ ଟି. ପ୍ରଭାକର ରାଓ ଚିନିକଳ ପରସରରେ ଲକ୍ଷ୍ମଣ ନାୟକଙ୍କ ପ୍ରତିମୁର୍ତ୍ତି ଓ କୋର୍ଟ ନିକଟରେ ମଧୁସୂଦନ ଦାସଙ୍କ ପ୍ରତିମୁର୍ତ୍ତି ତିଆରି କରିଥିଲେ। ସେହିପରି ବ୍ରହ୍ମପୁରର ବହୁ ଜାଗାରେ ନିର୍ମିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତି, କନିସି ବାଲାଜୀ ବିଦ୍ୟାପୀଠ ପରିସରରେ ବାଲାଜୀଙ୍କ ପ୍ରତିମୁର୍ତ୍ତି, ହାଇଦ୍ରାବାଦଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତୈଳ ପ୍ରତିମୂର୍ତ୍ତି, ବିଶାଖାପାଟଣା କେନ୍ଦ୍ରୀୟ ବିଦ୍ୟାଳୟରେ ମଦର ଆଣ୍ଡ ଚିଲଡ୍ରେନ ଓ ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି ବେଶ ପ୍ରଶଂସିତ ହୋଇଛି।

ପ୍ରଭାକରଙ୍କ ଚିତ୍ରକଳା କେବଳ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ସୀମିତ ରହିନାହିଁ। ମୁମ୍ବାଇ, ଉତ୍ତରପ୍ରଦେଶ, ତେଲେଙ୍ଗାନା ରାଜ୍ୟର ବହୁ ବଡ଼ ବଡ଼ ସହରରେ ପ୍ରତିମୂର୍ତ୍ତି ତିଆରି କରି ପ୍ରସଂଶିତ ହୋଇଛି। କେବଳ ଚିତ୍ରଶିଳ୍ପୀ ନୁହଁ ସମାଜ ସେବାକୁ ବି ପ୍ରଭାକର ନିଜ ଜୀବନରେ ଗୋଟିଏ ବ୍ରତ ରୂପେ ଗ୍ରହଣ କରିଛନ୍ତି। ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଇବା ସହ ଗରିବ ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା କରିବା ସେମାନଙ୍କୁ ନିଜ ହାତରୁ ଔଷଧ ଦେଇଥାନ୍ତି।

୬୩ ବର୍ଷ ବୟସରେ ପାଦ ଥାପିଥିବା ଟି. ପ୍ରଭାକର ଆଜି ବି  ଚିତ୍ରକଳା ଓ ପ୍ରତିମୂର୍ତ୍ତି ନିର୍ମାଣରେ ନିଜ ସାଧନା ଜାରି ରଖିଛନ୍ତି। ଓଡ଼ିଶାରେ ଜନ୍ମ ହୋଇଥିବା ପ୍ରଭାକର ଏବେ ଆନ୍ଧ୍ରପ୍ରଦେଶର ପ୍ରମୁଖ ଚିତ୍ରଶିଳ୍ପୀ ଭାବେ ପରିଗଣିତ ହେଉଛନ୍ତି।

Comment