ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସ୍ତରୀୟ ଧାତବ ମୂର୍ତ୍ତିକଳା ଶିବିରରେ ଯୋଗ ଦେଇ ନିଜର ମୂର୍ତ୍ତିକଳା ନୈପୁଣ୍ୟ ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ନାମ୍ପୋ ଅଞ୍ଚଳର ଯୁବ ଚିତ୍ରଶିଳ୍ପୀ ସଞ୍ଜୟ କୁମାର ରାଉଳ। ବିଭିନ୍ନ ପ୍ରକାର ସ୍କ୍ରାପ୍ ବା ଅନାବଶ୍ୟକ ପଦାର୍ଥ ମାଧ୍ୟମରେ ଏକ ବିଶାଳ ବୁଦ୍ଧମୂର୍ତ୍ତି ନିର୍ମାଣ କରି ସେ ପ୍ରଶଂସାଭାଜନ ହୋଇପାରିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଏବଂ ‘ଇମେଜେରୀ’ର ସହଭାଗିତାରେ ଏହି ଶିବିର ବ୍ରହ୍ମପୁର ସହରର ଖୋଡ଼ାସିଙ୍ଗି ଠାରେ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୬ ରୁ ଅପ୍ରେଲ ୬ ତାରିଖ ମଧ୍ୟରେ ଏହି ମୂର୍ତ୍ତିକଳା ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିରକୁ ପରିଚାଳନା କରିଥିଲେ କ୍ୟୁରେଟର୍ କାନ୍ତକିଶୋର ଓ ଦିବ୍ୟ ସ୍ୱାଇଁ। ଏହାକୁ ସଂଯୋଜନା କରିଥିଲେ ପ୍ରତାପ ମହାରଣା। ଏହି ଶିବିରରେ ଚିତ୍ରଶିଳ୍ପୀମାନେ ସ୍କ୍ରାପ୍ ମାଧ୍ୟମରେ ବାଘ, ଷଣ୍ଢ, ଜିରାଫ୍, କଇଁଚ, ଚିଲପକ୍ଷୀ, ମୟୂର, କଙ୍କଡ଼ା, ହାତୀ ପ୍ରଭୃତିର ମୂର୍ତ୍ତି ନିର୍ମାଣ କରି ପ୍ରଶଂସିତ ହୋଇଥିଲେ। ତେବେ ସଞ୍ଜୟଙ୍କ ବୁଦ୍ଧଦେବ ମୂର୍ତ୍ତିଟି ବିଏମ୍‌ସି କମିଶନରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

ଏହି ଶିବିରରେ ବାଲେଶ୍ୱରରୁ ସଞ୍ଜୟ ଯୋଗ ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜଗଜୀବନ ନାୟକ, ବିଦ୍ୟାଧର ମାଝି, ପାର୍ଥ ସାରଥି ବେହେରା, ଲକ୍ଷ୍ମୀଧର ରାଉତ, ଜ୍ଞାନ ପଣ୍ଡା, ରାହୁଲ ମହାକୁଡ଼, ଆଶୁତୋଷ ବେହେରା, କେଦାରନାଥ ମାଝି, ରାଜୁ ଭୋଇ ପ୍ରମୁଖ ଚିତ୍ରଶିଳ୍ପୀମାନେ ଯୋଗଦେବାକୁ ନିମନ୍ତ୍ରିତ ହୋଇଥିଲେ।

ସୂଚନାଯୋଗ୍ୟ, ଏହିସବୁ ସ୍କ୍ରାପ୍ ମୂର୍ତ୍ତି ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟକରଣରେ ବ୍ୟବହୃତ ହେବ। ବାଲେଶ୍ୱରର ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ବର୍ତ୍ତମାନ ମୂର୍ତ୍ତିକଳାରେ ସ୍ନାତକୋତ୍ତର ଶିକ୍ଷାର୍ଥୀ ଭାବେ କୋଲକାତା ଆର୍ଟ କଲେଜରେ ଅଧ୍ୟୟନ କରୁଛନ୍ତି। ସେ ବିଭିନ୍ନ ପ୍ରକାର ଚିତ୍ର ପ୍ରଦର୍ଶନୀ କରି ପୁରସ୍କୃତ ହୋଇଛନ୍ତି।

Comment