ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ଘଟଣାରେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍‌ ପଠାଯାଇଛି। ଏହି ଘଟଣାରେ ଶିବଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ କରି ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା।

ସୋମବାର ରାତିରେ ବ୍ରହ୍ମପୁର ଉତ୍କଳମଣି ୟୁପି ସ୍କୁଲର ବୁଥରେ ଭୋଟ୍ ଗ୍ରହଣ ପରେ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଶିବଶଙ୍କର ଦାସ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଶିବଶଙ୍କର ଦାସଙ୍କୁ ପୋଲିସ ଅଟକ ରଖିଥିଲା। ଏହାପରେ ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କ୍ରମେ ମଙ୍ଗଳବାର ତାଙ୍କୁ ଆଇପିସିର ଧାରା ୩୦୭ (ହତ୍ୟା ଉଦ୍ୟମ) ଆଧାରରେ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ ପଠାଯାଇଛି।

ଅନ୍ୟପଟେ ଏହି ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ପଞ୍ଜରା ହାଡ଼ ଓ ଫୁସଫୁସରେ ଆଘାତ ଲାଗିଛି। ତେବେ ସେ ଏବେ ସୁସ୍ଥ ଥିବା କୁହାଯାଉଛି।

ସୋମବାର ରାତିରେ ବ୍ରହ୍ମପୁର ଉତ୍କଳମଣି ୟୁପି ସ୍କୁଲର ବୁଥରେ ଭୋଟ୍ ଗ୍ରହଣ ପରେ ଶିବଶଙ୍କର ଦାସଙ୍କ ସମର୍ଥକମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ୍ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିଥିଲେ। ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଥିଲେ।

Tags: #PradepPanigrahi #SibasankarDas #ElectionViolence #Berhampur #Odisha

LEAVE A REPLY

Please enter your comment!
Please enter your name here