ଓଡ଼ିଶାଲାଇଭ୍ ବ୍ୟୁରୋ
ନୂତନ ମା’ ଗୃହ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟସେବା ପାଇବେ ୨୩ ଗାଁର ଗର୍ଭବତୀ ମହିଳା।
୨୩ଟି ଗାଁର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷଠାରେ ଖୋଲିଲା ମା’ ଗୃହ। ବୁଧବାର ଏହି ମା’ ଗୃହକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦ୍ଘାଟନ କରିଛନ୍ତି। ୩ଟି ଗ୍ରାମପଞ୍ଚାୟତର ୪ଟି ସବସେଣ୍ଟର ଜରିଆରେ ଏହି ମା’ ଗୃହ ସେବା ଯୋଗାଇଦେବ। ଏହି ମା’ ଗୃହରେ ଏବେ ୮ଟି ବେଡ୍ ରହିଛି।
ଚାନ୍ଦିପୋଷ ମା’ ଗୃହ ଉଦ୍ଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ସରୋଜ କୁମାର ମିଶ୍ର, ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ଦାସ, ଡିପିଏମ୍ ଦୀପକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ମା’ ଗୃହ ଉଦ୍ଘାଟନ କରିବା ପରେ ଜିଲ୍ଲାପାଳ ଅନ୍ତେବାସୀଙ୍କ ସହ ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଏହି ମା’ ଗୃହରେ ୮ ଜଣ ଗର୍ଭବତୀ ମହିଳା ଅଛନ୍ତି। ସ୍ୱେଚ୍ଛାସେବୀ ସଙ୍ଗଠନ ଆଭା ଏହି ମା’ ଗୃହର ପରିଚାଳନା ଦାୟିତ୍ୱ ନେଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ ଗୃହ ପ୍ରତିଷ୍ଠା କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୯ଟି ମା’ ଗୃହ ଚାଲିଛି। ଡିଏମ୍ଏଫ୍ ଆର୍ଥିକ ସହାୟତାରେ ଆଉ ୯ଟି ମା’ ଗୃହ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ସୋମବାର ଲେଫ୍ରିପଡ଼ାର ଗୁଣ୍ଡିଆଡିହିଠାରେ ମା’ ଗୃହ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ।
ମା’ ଗୃହରେ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପ୍ରସବ ପରେ ମା’ମାନେ ଶିଶୁର ଯତ୍ନ କିପରି ନେବେ ସେ ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି।
ଗର୍ଭବତୀ ମହିଳାଙ୍କୁ ସମ୍ଭାବ୍ୟ ପ୍ରସବ ତାରିଖର କିଛିଦିନ ପୂର୍ବରୁ ତାଙ୍କ ଘରୁ ଆଣି ମା’ ଗୃହରେ ରଖିବା, ନିରାପଦ ପ୍ରସବ ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବାଠାରୁ ଆରମ୍ଭ କରି ପ୍ରସବ ପରେ ତାଙ୍କୁ ଘରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ମା’ ଗୃହ ନେଇଥାଏ। ହିତାଧିକାରୀମାନଙ୍କୁ ଏହି ସେବା ମାଗଣାରେ ପ୍ରଦାନ କରାଯାଉଛି।