ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼: ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶନିବାର ଦିନ ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଙ୍ଗଠାରେ ନିର୍ମାଣାଧୀନ ୨୦୦ ଶଯ୍ୟାବିଶିଷ୍ଟ ବୃଦ୍ଧାଶ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେହିପରି କର୍ଲାଖମନଠାରେ ତିଆରି ଚାଲିଥିବା ୧୦୦ ଶଯ୍ୟାବିଶିଷ୍ଟ ମାନସିକ ରୋଗୀଙ୍କ ପାଇଁ ଆଶ୍ରୟସ୍ଥଳର କାମ ମଧ୍ୟ ତଦାରଖ କରିଛନ୍ତି।ବେଦବ୍ୟାସ ନିକଟସ୍ଥ ବ୍ରାହ୍ମଣୀତରଙ୍ଗଠାରେ ସାଢ଼େ ୪ ଏକର ଜମିରେ ଏହି ଅତ୍ୟାଧୁନିକ ବୃଦ୍ଧାଶ୍ରମ ନିର୍ମାଣ କରାଯାଉଛି। ସେଠାରେ ମାଗଣାରେ ବୟସ୍କ ବ୍ୟକ୍ତିଙ୍କୁ ରହିବା ଓ ଖାଇବା ସହ ଚିକିତ୍ସା ତଥା ପରାମର୍ଶ ଯୋଗାଇ ଦିଆଯିବ। ସେହିପରି ଅନ୍ତେବାସୀମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଇନଡୋର୍ କ୍ରୀଡ଼ା, ଯୋଗ ଓ ପାଠାଗାର ଆଦି ବ୍ୟବସ୍ଥା କରାଯାଉଛି।

ସେହିପରି କର୍ଲାଖମନରେ ୩ ଏକର ଜାଗାରେ ମାନସିକ ରୋଗୀଙ୍କ ପାଇଁ ତିଆରି ହେଉଛି ଅତ୍ୟାଧୁନିକ ଆଶ୍ରୟକେନ୍ଦ୍ର। ସେଠାରେ ଅନ୍ତେବାସୀମାନଙ୍କୁ ମାଗଣାରେ ରହିବା ଖାଇବା ସହ ଚିକିତ୍ସା, ଯୋଗ ଓ ବିଭିନ୍ନ ଥେରାପିର ବ୍ୟବସ୍ଥା କରାଯିବ।

ଏହି ବୃଦ୍ଧାଶ୍ରମ ଏବଂ ମାନସିକ ରୋଗୀଙ୍କ ଆଶ୍ରୟସ୍ଥଳ ନିର୍ମାଣ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଆର୍ଥିକ ସହାୟତା ଯୋଗାଇ ଦେଉଛି। ଜାତୀୟ ସ୍ତରର ନିର୍ମାଣ ସଂସ୍ଥା ଏନବିସିସିକୁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି। ଏହି ଦୁଇଟି ଅତ୍ୟାଧୁନିକ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୧ ମେ ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶନିବାର ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଡିଏମ୍ଏଫର ବରିଷ୍ଠ ଅଧିକାରୀ ଦିପୁ ଶଙ୍କର ସାମଲ ଏବଂ ଏନବିସିସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ଆଜି ସମାଜରେ ଅନେକ କ୍ଷେତ୍ରରେ ବରିଷ୍ଠ ନାଗରିକ ବିଶେଷକରି ବୃଦ୍ଧବୃଦ୍ଧାଙ୍କର ରହିବା, ଭାବର ଆଦାନପ୍ରଦାନ, ଚିକିତ୍ସା ଏବଂ ପରାମର୍ଶ ପାଇବା ଏକ ଆହ୍ୱାନ ହୋଇଛି। ସେହିପରି ସମାଜର ଗରିବ ଶ୍ରେଣୀର ମାନସିକ ରୋଗୀମାନଙ୍କ ଚିକିତ୍ସା ଓ ଥଇଥାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ନିର୍ମାଣ ହେଉଥିବା ଏହି ଅତ୍ୟାଧୁନିକ ବୃଦ୍ଧାଶ୍ରମ ଏବଂ ମାନସିକ ରୋଗୀଙ୍କ ଆଶ୍ରୟସ୍ଥଳ ଆଗାମୀ ଦିନରେ ସୁନ୍ଦରଗଡ଼ରେ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ବେଶ ସହାୟକ ହୋଇପାରିବ।

Comment