ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ଜୀବନ ଶୈଳୀକୁ ଦୋହଲାଇ ଦେଇଛି ମାରାତ୍ମକ କରୋନା ଭାଇରସ। ନିଜ ବ୍ୟକ୍ତିଗତ କାମକୁ ପଛରେ ପକାଇ ଏବେ କରୋନା ଯୁଦ୍ଧରେ ଲଢ଼ୁଛନ୍ତି ଅନେକ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏବଂ ସରକାରୀ ଅଧିକାରୀ। ସେହି ଯୋଦ୍ଧାମାନଙ୍କ ମଧ୍ୟରୁ ଜଣେ ହେଲେ ଆଇଏଏସ ସୌମ୍ୟା ପାଣ୍ଡେ। କରୋନା ମହାମାରୀ ଭଳି ଏକ କଠିନ ପରସ୍ଥିତିରେ ସେ ନିଜ ୧୪ ଦିନର ଶିଶୁକୁ ଧରି କାମକୁ ଫେରିଛନ୍ତି।
କୋଳରେ ଶିଶୁ, ହାତରେ ଶହ ଶହ ଫାଇଲ ଦେଖୁଥିବା ସୌମ୍ୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।
ଉତ୍ତରପ୍ରଦେଶ ମୋଦୀନଗରର ଏସ୍ଡିଏମ୍ (ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ) ଦାୟିତ୍ୱରେ ଅଛନ୍ତି ସୌମ୍ୟା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସୌମ୍ୟା ଗର୍ଭବତୀ ଥିବା ସମୟରେ ୬ ମାସ ପ୍ରସବକାଳୀନ ଛୁଟି ମଧ୍ୟ ନେଇନଥିଲେ। ଏବେ ପିଲା ଜନ୍ମ ହେବା ପରେ ଅଧିକ ଦିନ ଛୁଟି ନନେଇ ମାତ୍ର ୧୪ ଦିନ ପରେ ଅଫିସ କାମକୁ ଫେରିଛନ୍ତି।
ଏଭଳି କାମ କରି ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତେବେ ଏହି ପଦକ୍ଷେପ ପାଇଁ ସୌମ୍ୟାଙ୍କ ପରିବାର ବେଶ ସମର୍ଥନ କରିଛନ୍ତି ବୋଲି ସେ ଭିଡିଓରେ କହିଛନ୍ତି।


















