ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବୁଧବାର ୬୧ତମ ରାଜ୍ୟସ୍ତରୀୟ ପୋଲିସ ସହିଦ ଦିବସ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ଯବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହିଦଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ଏହି ଅବସରରେ ଆରକ୍ଷୀ ବାହିନୀ ପକ୍ଷରୁ ନିରବ ପ୍ରାର୍ଥନା, ଶୋକଶାସ୍ତ୍ର ଓ ସଲାମିଶାସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ସେହିପରି ଚଳିତ ବର୍ଷ କରୋନା ମହାମାରୀ ବିରୋଧରେ ଲଢ଼ି ସଂକ୍ରମଣ କାରଣରୁ ପ୍ରାଣ ହରାଇଥିବା ୪୧ ଜଣ କରୋନା ଯୋଦ୍ଧାଙ୍କୁ ଡିଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

୨୦୧୯ ସେପ୍ଟେମ୍ବର ପହିଲାରୁ ୨୦୨୦ ଅଗଷ୍ଟ ୩୧ ତାରିଖ ଭିତରେ ଦେଶର ବିଭିନ୍ନ କେନ୍ଦ୍ରୀୟ ଆରକ୍ଷୀ ବାହିନୀ ଏବଂ ରାଜ୍ୟ ଆରକ୍ଷୀ ବାହିନୀର ୨୬୫ ଜଣ ଯବାନ ସହିଦ ହୋଇଛନ୍ତି। ଏହି ସମୟ ମଧ୍ୟରେ ଓଡ଼ିଶା ପୋଲିସର ଜଣେ କର୍ତ୍ତବ୍ୟରତ ଯବାନ ସହିଦ ହୋଇଥିବା ସୂଚନା ଦିଆଯାଇଛି। ଓଡ଼ିଶାର ସହିଦ ଯବାନଙ୍କ ନାମ ପ୍ରକାଶ କୁମାର ସାହୁ। ସେ ଭୁବନେଶ୍ୱରସ୍ଥିତ ଏସ୍‌ଓଜିରେ ଥିଲେ। ସେ ଗତ ଅପ୍ରେଲ ୭ ତାରିଖରେ ସହିଦ ହୋଇଥିଲେ।

ଅନ୍ୟପଟେ ଅଗଷ୍ଟ ୩୧ ପରେ ଏସ୍‌ଓଜିର ଆଉ ୨ ଜଣ ଓଡ଼ିଆ କମାଣ୍ଡୋ ମାଓବାଦୀଙ୍କ ସହ ଲଢ଼େଇ କରି ଗତ ସେପ୍ଟେମ୍ବର ୯ ତାରିଖରେ ସହିଦ ହୋଇଥିଲେ। ସହିଦ ଯବାନ ଦ୍ଵୟ ହେଲେ କମାଣ୍ଡୋ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ।

୧୯୫୯ ମସିହା ଅକ୍ଟୋବର ୨୧ତାରିଖରେ ଲଦାଖ ଅଞ୍ଚଳରେ କର୍ତ୍ତବ୍ୟରତ ୧୦ ଜଣ ସିଆରପିଏଫ୍ ଯବାନ ଚୀନ ସୈନ୍ୟଙ୍କ ସହ ଲଢ଼ି ସହିଦ ହୋଇଥିଲେ। ସହିଦ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସାରା ଭାରତରେ ବିଭିନ୍ନ ପୋଲିସ ସଂସ୍ଥା ପକ୍ଷରୁ ଅକ୍ଟୋବର ୨୧ ତାରିଖକୁ ପୋଲିସ ସହିଦ ସ୍ମୃତି ଦିବସ ଭାବେ ପାଳନ କରାଯାଇଆସୁଛି।  ୧୯୬୦ରୁ ଏପର୍ଯ୍ୟନ୍ତ ଦେଶରେ ଆରକ୍ଷୀ ବାହିନୀରେ ୩୫ ହଜାରରୁ ଅଧିକ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here