ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ସାରା ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଉରକେଲା ମହାନଗର ନିଗମ ମଧ୍ୟ ଏଥିଲାଗି ଉଦ୍ୟମ କରୁଛି। ନିଗମ ପକ୍ଷରୁ ଏଥିଲାଗି ୩ଟି ପ୍ରତିଯୋଗିତା ଆରମ୍ଭ ହୋଇଛି। ଗତବର୍ଷ ରାଉରକେଲା ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ପୂର୍ବ ବର୍ଷ ଅପେକ୍ଷା ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଲକ୍ଷ୍ୟ ରଖିଛି ରାଉରକେଲା ମହାନଗର ନିଗମ।
ପ୍ରଥମ ପ୍ରତିଯୋଗିତା ‘ହିରୋ ଅଫ୍ ରାଉରକେଲା’ ଆୱାର୍ଡ
ପ୍ରଥମ ପ୍ରତିଯୋଗିତାଟି ହେଲା ‘ହିରୋ ଅଫ୍ ରାଉରକେଲା’ ଆୱାର୍ଡ ପାଇଁ। ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣକୁ ପ୍ରତିହତ ଦିଗରେ କାମ କରିଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିପାରିବେ। ଷ୍ଟାର୍ଟ ଅପ୍ ବ୍ୟବସାୟ ଆରମ୍ଭ କରିଥିବା ବା ସେଥିରେ ଜଡ଼ିତ ଥିବା ବ୍ୟକ୍ତି, ଯେ କୌଣସି ପ୍ରକାରର ଉଦ୍ୟୋଗ ସ୍ଥାପନ କରିଥିବା ବ୍ୟକ୍ତି, ଧାର୍ମିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂସ୍ଥା ସହିତ ଜଡ଼ିତ ବ୍ୟକ୍ତି ‘ହିରୋ ଅଫ୍ ରାଉରକେଲା’ ଆୱାର୍ଡ ପାଇଁ ନାମାଙ୍କନ କରିପାରିବେ।
ଏଥିପାଇଁ ଉକ୍ତ ସଂସ୍ଥା ବା ବ୍ୟକ୍ତି ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣ ପ୍ରତିହତ କରିବା ଦିଗରେ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧୀୟ ବିଶଦ୍ ବିବରଣୀ ଏବଂ ତତ ସଂପର୍କିତ ଫଟୋଗ୍ରାଫ୍ ସଂଲଗ୍ନ କରି swachhrourkela.rmc@gmail.com ଇ-ମେଲ୍ ଆଇଡି କିମ୍ବା ମହାନଗର ନିଗମର ହ୍ୱାଟ୍ସଆପ୍ ନମ୍ବର – ୭୮୪୬୮୦୬୦୩୫ରେ ନଭେମ୍ବର ୧୫ ତାରିଖ ମଧ୍ୟରେ ପଠାଇବାକୁ ପଡ଼ିବ। ପରେ ଏହାର ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ବ୍ୟକ୍ତି ତଥା ସଂସ୍ଥାକୁ ‘ହିରୋ ଅଫ୍ ରାଉରକେଲା’ ଆୱାର୍ଡ ପ୍ରଦାନ କରାଯିବ।
ଯୁବ ତଥା କଳା କ୍ଷେତ୍ରରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଦ୍ୱିତୀୟ ପ୍ରତିଯୋଗିତା
ସେହିପରି ଦ୍ୱିତୀୟ ପ୍ରତିଯୋଗିତାଟି ସହରର ଯୁବ ତଥା କଳା କ୍ଷେତ୍ରରେ ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ। ସ୍ୱଚ୍ଛତା କିମ୍ବା କୋଭିଡ୍ ସଂପର୍କିତ ସଚେତନତା ସୃଷ୍ଟି ନିମନ୍ତେ ୬୦ ସେକେଣ୍ଡ ବିଶିଷ୍ଟ ଏକ ଜିଙ୍ଗଲ୍ କିମ୍ବା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରି ଇଛୁକ ବ୍ୟକ୍ତିମାନେ ତାହାକୁ swachhrourkela.rmc@gmail.com ଇ-ମେଲ୍ ଆଇଡି କିମ୍ବା ମହାନଗର ନିଗମର ହ୍ୱାଟ୍ସଆପ୍ ନମ୍ବର – ୭୮୪୬୮୦୬୦୩୫ରେ ନିଜ ନାଁ, ଠିକଣା ଓ ଯୋଗାଯୋଗ ନମ୍ବର ଉଲ୍ଲେଖ କରି ନଭେମ୍ବର ୧୫ ତାରିଖ ମଧ୍ୟରେ ପଠାଇବାକୁ ପଡ଼ିବ। ଯେ କୌଣସି ବୟସର ବ୍ୟକ୍ତି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।
ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ପ୍ରତିଯୋଗିତା
ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ପାଇଁ ମଧ୍ୟ ମହାନଗର ନିଗମ ଏକ ପ୍ରତିଯୋଗିତା ଆରମ୍ଭ କରିଛି। ଯେକୌଣସି ଶ୍ରେଣୀର ଛାତ୍ରଛାତ୍ରୀ ସ୍ୱଚ୍ଛତା କିମ୍ବା କୋଭିଡ ସଂପର୍କିତ ସଚେତନତାଧର୍ମୀ ପୋଷ୍ଟର ନତୁବା ଚିତ୍ର ଆଙ୍କି ତାହାର ଫଟୋ ଉଠାଇ swachhrourkela.rmc@gmail.com ଇ-ମେଲ୍ ଆଇଡି କିମ୍ବା ମହାନଗର ନିଗମର ହ୍ୱାଟ୍ସଆପ୍ ନମ୍ବର – ୭୮୪୬୮୦୬୦୩୫ରେ ନିଜ ନାଁ, ସ୍କୁଲ କିମ୍ବା କଲେଜର ନାମ ଏବଂ କୋଉ ଶ୍ରେଣୀରେ ପଢୁଛନ୍ତି ତାହା ଉଲ୍ଲେଖ କରି ନଭେମ୍ବର ୧୫ ତାରିଖ ମଧ୍ୟରେ ପଠାଇବାକୁ ପଡ଼ିବ।
ଏହି ପ୍ରତିଯୋଗିତା ମାଧ୍ୟମରେ ସହରର ପ୍ରତିଟି ବର୍ଗର ବ୍ୟକ୍ତିଙ୍କୁ ସ୍ୱଚ୍ଛତା ଓ ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କରେ ଅବଗତ କରାଇବା ଲାଗି ଲକ୍ଷ୍ୟ ରଖିଛି ମହାନଗର ନିଗମ। କେବଳ ସେତିକି ନୁହେଁ ଲୋକେ ସଚେତନ ହେଲେ ରାଉରକେଲା ଏକ ସ୍ୱଚ୍ଛ ସହରରେ ପରିଣତ ହୋଇପାରିବ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ ବୋଲି ନିଗମ ପକ୍ଷରୁ ଆଶା ରଖାଯାଇଛି। ଏଭଳି ପ୍ରତିଯୋଗିତା ଦ୍ୱାରା ସ୍ୱଚ୍ଛତା ପ୍ରତି ଜନସାଧାରଣ ଅଧିକ ଆକୃଷ୍ଟ ହେବେ ଏବଂ ସ୍ୱଚ୍ଛତାର ମହାମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ଆଶା କରାଯାଉଛି।