ଓଡ଼ିଶାଲାଇଭ୍ ବ୍ୟୁରୋ
- ନଭେମ୍ଵର ପହିଲାରୁ ଆରମ୍ଭ ହେବ ଧାନ କିଣା
- ୨୯୬୭ ଟୋଲ୍ ଫ୍ରୀ ନମ୍ଵରକୁ ଯୋଗାଯୋଗ କରିପାରିବେ ଚାଷୀ
- ଚାଷୀ ମୋବାଇଲକୁ ମେସେଜ ଯିବ ଧାନ ବିକ୍ରିର ତାରିଖ
ଖରିଫ୍ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନଭେମ୍ଵର ପହିଲାରୁ ଚାଷୀଙ୍କଠାରୁ ଧାନ କିଣିବେ ସରକାର। ପୂର୍ବବର୍ଷ ପରି ଏଥର ବି ଅଗ୍ରୀମ ଟୋକନ୍ ବ୍ୟବସ୍ଥାରେ ଧାନ କିଣାଯିବ। ଏ ବାବଦରେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ଵଜିତ ଦାସ ସୂଚନା ଦେଇଛନ୍ତି।
କେଉଁଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେନେଇ ସ୍ଥାନୀୟ ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ୍ ଲାଗିବା ସହ ଚାଷୀଙ୍କ ମୋବାଇଲକୁ ମଧ୍ୟ ମେସେଜ କରାଯିବ। ଯଦି କୌଣସି ଚାଷୀ ଟୋକନ୍ ପାଇନଥିବେ ତେବେ ସେ ୧୯୬୭ ଟୋଲ୍ ଫ୍ରୀ ନମ୍ଵରକୁ ଯୋଗାଯୋଗ କରିପାରିବେ।
ଚଳିତବର୍ଷ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଆଧାରରେ ଧାନ କିଣାଯିବ। ଏଫ୍ଏକ୍ୟୁ ମାନର ଧାନ କ୍ଵିଣ୍ଟାଲ ପିଛା ୧୮୬୮ ଟଙ୍କା ଏବଂ ଗ୍ରେଡ୍-ଏ ମାନର ଧାନକୁ ୧୮୮୮ ଟଙ୍କାରେ କିଣାଯିବ। ସେହିପରି ଜଳସେଚିତ ଜମିରୁ ଏକର ପିଛା ୧୯ କ୍ଵିଣ୍ଟାଲ୍ ଏବଂ ଅଣ ଜଳସେଚିତ ଜମିରୁ ଏକର ପିଛା ୧୨ କ୍ଵିଣ୍ଟାଲ୍ ଧାନ କିଣାଯିବା ନେଇ ସୂଚନା ମିଳିଛି।
ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନଭେମ୍ଵର ୧୫ ସୁଦ୍ଧା ଧାନ ସଂଗ୍ରହ କରାଯିବ। ସବୁ ବ୍ଲକରେ ପି-ପାସ୍ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ୍ର ସୁବିଧା ନାହିଁ ସେଠାରେ ଅଫଲାଇନ୍ରେ ଧାନ ସଂଗ୍ରହ କରାଯିବ ବୋଲି ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ଵଜିତ ଦାସ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ରାଜ୍ୟରେ ମୋଟ୍ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି।

















