କମଳାକାନ୍ତ ପତି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ପୂର୍ବରୁ କିଏ ଜାଣିଥିଲା ସେ ହେଉଛନ୍ତି ବିହାରର ‘ଭୂମିପୁତ୍ର’? ନୀତିଶ କୁମାରଙ୍କ ଜନତା ଦଳ (ୟୁ) ଏହି ମୃତ୍ୟୁ ଘଟଣାକୁ ସାମ୍ନାରେ ରଖି ବିହାର ଭୋଟ୍ ବୈତରଣୀ ପାର କରିବାକୁ ଅଣ୍ଟା ଭିଡ଼ିଥିଲା। କିନ୍ତୁ ଦିଲ୍ଲୀ ଏମ୍ସ୍ ରିପୋର୍ଟ ନୀତିଶଙ୍କର ସେହି ଆଶାରେ ପାଣି ଢ଼ାଳି ଦେବା ପରେ ସୁଶାନ୍ତଙ୍କୁ ନେଇ ସବୁ ଦଳ ନିରବ।
କୁଆଡ଼େ ଗଲା ‘ଜଷ୍ଟିସ୍ ଫର୍ ସୁଶାନ୍ତ’ ସ୍ଳୋଗାନ
ବିହାରର ଭୂମିପୁତ୍ର ସୁଶାନ୍ତ ସିଂ ରାଜପୁତ। କ୍ରିକେଟିୟର୍ ଏମ୍.ଏସ୍ ଧୋନୀଙ୍କ ବାୟୋପିକ୍ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର (ଧୋନୀ)ରେ ଅଭିନୟ କରି ରାତାରାତି ଚର୍ଚ୍ଚିତ ହୋଇ ଯାଇଥିଲେ ଅଭିନେତା ସୁଶାନ୍ତ। ତାଙ୍କର ରହସ୍ୟଜନକ ମୃତ୍ୟୁ ପରେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଲା। ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଥିଲା, ଅର୍ଥଲୋଭରେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି। ମହାରାଷ୍ଟ୍ର ପୋଲିସ୍ ସୁଶାନ୍ତଙ୍କ ପରିବାରର ଏତଲା ଗ୍ରହଣରେ ବିଳମ୍ବ କରିବାରୁ ହସ୍ତକ୍ଷେପ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେତେବେଳେ ସାରା ଦେଶ ଜାଣିଲା ସୁଶାନ୍ତ ସିଂହ ରାଜପୁତ ହେଉଛନ୍ତି ବିହାରର ବାସିନ୍ଦା।
ବିହାର ନିର୍ବାଚନର ଯଥେଷ୍ଟ ପୂର୍ବରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବାରୁ ନୀତିଶ କୁମାରଙ୍କ ଦଳ ଏଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଆଗଭର ହୋଇଥିଲା। ବିରୋଧୀ ଆରଜେଡି ମଧ୍ୟ ଏହି ଘଟଣାକୁ ନେଇ ରାଜନୈତିକ ମଇଦାନକୁ ଓହ୍ଲାଇଥିଲା। ସେତେବେଳେ ବିହାରରେ ଶୁଣିବାକୁ ମିଳିଥିଲା ‘ଜଷ୍ଟିସ୍ ଫର୍ ସୁଶାନ୍ତ’ ସ୍ଳୋଗାନ। ଏହାର ଏକମାତ୍ର କାରଣ ଥିଲା ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁକୁ ସାମ୍ନାରେ ରଖି ରାଜପୁତ୍ ଭୋଟ୍ ହାତେଇବାର ଆଶା। କିନ୍ତୁ ଶାସକ ଓ ବିରୋଧୀ ରାଜନୈତିକ ଦଳର ଏ ସମସ୍ତ ପରିକଳ୍ପନା ଉପରେ ଥଣ୍ଡା ପାଣି ଢାଳିଦେଲା ଏମ୍ସର ଚୂଡ଼ାନ୍ତ ମେଡିକାଲ୍ ରିପୋର୍ଟ। ଏହି ରିପୋର୍ଟରେ ସ୍ପଷ୍ଟ କରି ଦିଆଗଲା ଯେ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ଏହାପରଠାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସୁଶାନ୍ତଙ୍କୁ ନେଇ ରହିଥିବା ଉତ୍ତେଜନା ପ୍ରଶମିତ ହୋଇଛି। ଏହାକୁ ପ୍ରସଙ୍ଗ କରି ନିର୍ବାଚନୀ ମୈଦାନରେ କିଛି ଲାଭ ହେବ ନାହିଁ ଜାଣି ସମସ୍ତେ ନିରବ।
ସିବିଆଇ ତଦନ୍ତ ଦାବି କରିଥିଲା ଆରଜେଡି
ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଦେଶରେ ଯେତେବେଳେ ପ୍ରବଳ ତର୍କବିତର୍କ, ସେତେବେଳେ ପ୍ରଥମେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲା ଆରଜେଡି। ଅଭିନେତା ଶେଖର ସୁମନଙ୍କୁ ପାଖରେ ବସାଇ ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ସିବିଆଇ ତଦନ୍ତର ଦାବି କରିଥିଲେ। ସେହି ଆରଜେଡି ନେତା ବର୍ତ୍ତମାନ ଭୋଟ୍ ପରିପ୍ରେକ୍ଷୀରେ ସୁଶାନ୍ତକୁ ନେଇ ନିରବ, ସୁଶାନ୍ତ ପ୍ରସଙ୍ଗ ଆଉ ଭୋଟ୍ ପ୍ରଚାରରେ ପ୍ରଭାବ ପକାଇବ ନାହିଁ ବୋଲି ଏମ୍ସ ରିପୋର୍ଟ ଆସିବା ପରଠାରୁ ବୁଝିଯାଇଛନ୍ତି ନୀତିଶ।
ଏହି ରିପୋର୍ଟ ଆସିବା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ବିଜେପି ସହଯୋଗରେ ମହାରାଷ୍ଟ୍ର ସରକାର ବିରୋଧରେ ସ୍ନାୟୁ ଯୁଦ୍ଧ ଚଳାଇଥିଲେ, ତାହା ବସ୍ତୁତଃ ଶୀଥିଳ। ଏପର୍ଯ୍ୟନ୍ତ ନୀତିଶଙ୍କ ମୁହଁରୁ ମାତ୍ର ଗୋଟିଏ ଜନସଭାରେ ଶୁଣିବାକୁ ମିଳିଛି ସୁଶାନ୍ତଙ୍କ ନାମ, ଅକ୍ଟୋବର ଆରମ୍ଭରୁ ପ୍ରଥମ ଭର୍ଚୁଆଲ ରାଲିରେ ନୀତିଶ୍ କହିଥିଲେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତା’ ପରଠାରୁ ଆଉ ସୁଶାନ୍ତଙ୍କ ନାମ ଶୁଣିବାକୁ ମିଳିନି ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ।
ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ଭୁଲିଗଲେ କେମିତି?
ରାଜନୈତିକ ଦଳଗୁଡ଼ିକ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି କରିବାକୁ ଆଗେଇ ଆସୁଥିବା ବେଳେ ବିହାରୀ ଜନତାଙ୍କ କ୍ଷୋଭ ଦେଖିବାକୁ ମିଳୁଥିଲା। ବିଶେଷ କରି ଲକ୍ଡାଉନ୍ ସମୟରେ ଯେଉଁ ପ୍ରବାସୀ ଶ୍ରମିକମାନେ ଦୁର୍ଦ୍ଦଶା ଭୋଗୀ ରାଜ୍ୟକୁ ଫେରିଥିଲେ ସେହିମାନେ ପ୍ରଶ୍ନ ଉଠାଇଥିଲେ। ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରାଜନୈତିକ ଦଳଗୁଡ଼ିକ ରାଜନୀତି କରିବାକୁ ଆଗେଇ ଆସୁଛନ୍ତି। ବାଟରେ ଚାଲି ଚାଲି ଆସି ଯେଉଁ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଲା ସେମାନେ କ’ଣ ମଣିଷ ନଥିଲେ। ସେହି ଶ୍ରମିକଙ୍କ ସକାଶେ ରାଜନେତାମାନେ ଉଦାସୀନ କାହିଁକି? ପ୍ରବାସୀ ଶ୍ରମିକମାନଙ୍କର ଏଭଳି ପ୍ରଶ୍ନବାଣ, ବିଜେପିକୁ ସୁଶାନ୍ତ ପ୍ରସଙ୍ଗରୁ ଦୂରେଇ ରହିବାକୁ ବାଧ୍ୟ କରିଛି। ବିହାରୀ ବିଜେପି ନେତାମାନେ ବୁଝିପାରିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ ଭୋଟରଙ୍କ ସହାନୁଭୂତି ନୁହେଁ, କ୍ରୋଧ ବଢ଼ିବ।
ମୃତ୍ୟୁକୁ ସାମ୍ନାରେ ରଖି ରାଜନୀତି ନୁହେଁ
‘ଭୂମିପୁତ୍ର ସୁଶାନ୍ତ’, ‘ଜଷ୍ଟିସ ଫର୍ ସୁଶାନ୍ତ’ – ବିହାରରେ ଏମିତି ସ୍ଲୋଗାନ ଶୁଣିବାକୁ ମିଳୁଥିଲା କିଛିଦିନ ପୂର୍ବରୁ। କିନ୍ତୁ ନିର୍ବାଚନ ମଇଦାନରେ ସୁଶାନ୍ତକୁ ନେଇ ପୋଷ୍ଟର, ବ୍ୟାନର କିମ୍ବା ପ୍ରଚାର ଦୃଶ୍ୟମାନ ହେଉନାହିଁ। ଇତିମଧ୍ୟରେ ବିହାରରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। କିନ୍ତୁ ପ୍ରଚାର ମଇଦାନରେ କୌଣସି ରାଜନେତାଙ୍କ ମୁହଁରୁ ଶୁଣିବାକୁ ମିଳୁନି ସୁଶାନ୍ତଙ୍କ ନାମ। ଏ ସମ୍ପର୍କରେ ଆରଜେଡି ନେତା ଅବଦୁଲ୍ ବାରି ସିଦ୍ଦିକ୍ କୁହନ୍ତି – ରାଜପୁତ ଭୋଟ୍ ବ୍ୟାଙ୍କ୍ ଆମର ବଡ଼ ଭରସା ହେଲେ ମଧ୍ୟ କାହାର ମୃତ୍ୟୁକୁ ଆଗରେ ରଖି ଦଳ ଭୋଟ୍ ଭିକ୍ଷା କରିବ ନାହିଁ।
ସିବିଆଇ ତଦନ୍ତ ଦାବି କରୁଥିବା ଆରଜେଡିର ଏହି ପରିବର୍ତ୍ତନ ମୂଳରେ ରହିଛି ଏମ୍ସର ଚୂଡ଼ାନ୍ତ ମେଡିକାଲ୍ ରିପୋର୍ଟ। ଏପରିକି ନାମ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ପ୍ରମୁଖ ରାଜନୈତିକ ଦଳ ନେତା କୁହନ୍ତି ସୁଶାନ୍ତ ସିଂ ରାଜପୁତ୍ ବିହାରର ଭୂମିପୁତ୍ର ସତ୍ୟ, ମାତ୍ର ଡ୍ରଗସ୍ ତାଙ୍କ ପତନର କାରଣ। ଏକଥା ବିହାରବାସୀ ମନେ କରୁଛନ୍ତି। ତେଣୁ ତାଙ୍କ ମୃତ୍ୟୁକୁ ନେଇ ଭୋ୍ଟ ଭିକ୍ଷା କଲେ ଫଳ ବିପରୀତ ହୋଇପାରେ। ଶୁଣିବାକୁ ମିଳୁଛି ଯେ, ସମାନ ଚିନ୍ତାଧାରାରେ ସୁଶାନ୍ତଙ୍କ ନାମ ନ ନେବାକୁ ବିଜେପି ତା’ର ମେଣ୍ଟ ଦଳ ଜେଡିୟୁକୁ ପରାମର୍ଶ ଦେଇଛି।
କାହିଁକି ପ୍ରତାରିତ ହେଲେ ଗୁପ୍ତେଶ୍ୱର
ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଅଧିକ ସକ୍ରିୟତା ଦେଖାଇଥିଲେ ବିହାରର ତତ୍କାଳୀନ ପୋଲିସ୍ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ। ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତରେ, ଗୁପ୍ତେଶ୍ୱରଙ୍କ ଜରିଆରେ ମହାରାଷ୍ଟ୍ର ପୋଲିସ୍ର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ ନୀତିଶ ପ୍ରଶାସନ। ଏହା ପଛରେ ଅବଶ୍ୟ ଗୁପ୍ତେଶ୍ୱରଙ୍କ ଏକ ବଡ଼ ଅଭିଳାଷ ରହିଥିଲା। ସେ ସମ୍ଭବତଃ ନୀତିଶଙ୍କ ଠାରୁ ପ୍ରତିଶ୍ରୁତି ପାଇ ନିର୍ବାଚନ ପୂର୍ବରୁ ଚାକିରିରୁ ଆଗୁଆ ଅବସର ନେଇ ଯାଇଥିଲେ। ଆଶା ଥିଲା ବକ୍ସାରରୁ ଜେଡିୟୁ ଟିକେଟରେ ନିର୍ବାଚନ ଲଢ଼ିବେ। ମାତ୍ର ନୀତିଶ ଆଉ ଧରାଛୁଆଁ ଦେଲେ ନାହିଁ।
ଗୁପ୍ତେଶ୍ୱରଙ୍କ ବଦଳରେ ବକ୍ସାରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବିହାର ପୋଲିସ୍ର ଜଣେ ପୂର୍ବତନ କନଷ୍ଟେବଳ। ପ୍ରଶ୍ନ ଉଠୁଛି ‘ବିହାର ଅସ୍ମିତା’ ପାଇଁ ଶାସକଦଳର ହୋଇ କାର୍ଯ୍ୟ କରିଥିବା ଗୁପ୍ତେଶ୍ୱରଙ୍କୁ ନୀତିଶ ଧୋକାଦେଲେ କାହିଁକି? କୁହାଯାଉଛି ଯେ, ଗୁପ୍ତେଶ୍ୱରଙ୍କ ଉପରେ କ୍ଷୁବ୍ଧ ଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଯଦି ଗୁପ୍ତେଶ୍ୱରଙ୍କୁ ବକ୍ସାରରୁ ଜେଡିୟୁ ପ୍ରାର୍ଥୀ କରିଥାଆନ୍ତା, ତେବେ ଉଦ୍ଧବ ତାଙ୍କ ବିରୋଧରେ ଶିବସେନାରୁ ସେଠାରେ ଜଣେ ପ୍ରାର୍ଥୀ ଦେଇଥାଆନ୍ତେ। ଏହା ଜାଣିବା ପରେ ନୀତିଶ ମହାରାଷ୍ଟ୍ର ସରକାର ସହ ଆଉ ବିବାଦ ବଢ଼ାଇବାକୁ ଚାହିଁଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ମହଲ ସୂତ୍ର ଅନୁଯାୟୀ- ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବକ୍ସାରରେ ଆଉ ହାୱା ନାହିଁ ଜାଣି ଗୁପ୍ତେଶ୍ୱରଙ୍କୁ ଜେଡିୟୁ ପ୍ରାର୍ଥୀ କଲା ନାହିଁ।
ସୁଶାନ୍ତଙ୍କ ଭାଇ ବିଜେପି ପ୍ରାର୍ଥୀ
ସୁଶାନ୍ତ ସିଂହ ରାଜପୁତଙ୍କ ପୈତୃକ ଜିଲ୍ଲା ବିହାରର ଗୋପାଳଗଞ୍ଜ। ସାରା ବିହାରରେ ସୁଶାନ୍ତଙ୍କୁ ନେଇ ସେତେବେଶୀ ଉତ୍ସୁକତା କିମ୍ବା ଅନୁକମ୍ପା ନଥିଲେ ମଧ୍ୟ ଗୋପାଳଗଞ୍ଜରେ ଏହି ଅଭିନେତାଙ୍କୁ ନେଇ ଆହା ପଦ ରହିଛି। ଗୋପାଳଗଞ୍ଜରୁ ଏବେ ବିଧାୟକ ଅଛନ୍ତି ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ନିରଜ ସିଂହ ବାବୁଲ। ବିଜେପି ଏଥର ମଧ୍ୟ ତାଙ୍କୁ ସେହି ଆସନରୁ ପ୍ରାର୍ଥୀ କରିଛି। କିନ୍ତୁ ଦଳ ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଅଛି – ଦେଖି ଚାହିଁ ପ୍ରଚାରରେ ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗ ସାମିଲ୍ କର। ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଜେପି ମଧ୍ୟ ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗକୁ ଏଡେଇ ଯିବାକୁ ଚାହୁଁଛି। କାରଣ ଦଳ ବୁଝି ଯାଇଛି ‘ଭୂମିପୁତ୍ର’ ପ୍ରସଙ୍ଗ ବିହାରୀ ଭୋଟରଙ୍କୁ ପ୍ରଭାବିତ କରିବ ନାହିଁ। ତେଣୁ ଏହାକୁ ପ୍ରସଙ୍ଗ କରି ରାଜନୈତିକ ଫାଇଦା ନାହିଁ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)