ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି, ଜାଣନ୍ତୁ…

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାରେ ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଯେଉଁଥିରେ ମୁହାଁମୁହିଁ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍। ଏହି ନିର୍ବାଚନରେ ଜିତାପଟ ହାସଲ କରିବା ଲୋକ ହିଁ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ତେଣୁ ଏହି ପଦକୁ ହାତେଇବାକୁ ଦୁଇ ନେତା ଭରପୁର ଚେଷ୍ଟା ଜାରି ରଖିଛନ୍ତି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ନିର୍ବାଚନଠାରୁ ଅଲଗା। ଏଠାରେ ଇଲେକ୍ଟର କଲେଜ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ତେବେ ଏହି ନିର୍ବାଚନ ପକ୍ରିୟା କିପରି ହୁଏ ଆପଣ ଜାଣିଛନ୍ତି କି?କିପରି ହୁଏ ଆମେରିକା ରାଷ୍ଟ୍ରପତି ନିର୍ବାଚନ?

ଆମେରିକାର ସାଧାରଣ ଭୋଟରମାନେ ପ୍ରଥମେ ଭୋଟ୍ ଦେଇ ଇଲେକ୍ଟରମାନଙ୍କୁ ନିର୍ବାଚିତ କରିଥାନ୍ତି। ପୂରା ଆମେରିକାରୁ ମୋଟ ୫୩୮ ଜଣ ଇଲେକ୍ଟର ନିର୍ବାଚିତ ହୋଇଥାନ୍ତି। ଏହି ଇଲେକ୍ଟରମାନେ ହିଁ ଆମେରିକାର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ୍ ଦେଇଥାନ୍ତି।

ଯେଉଁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟରଙ୍କ ଭିତରୁ ୨୭୦ ଜଣ ଇଲେକ୍ଟରଙ୍କ ଭୋଟ୍ ମିଳିଥାଏ। ସେହି ପ୍ରାର୍ଥୀ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ଅର୍ଥାତ, ଆମେରିକାର ଭୋଟରମାନେ ପରୋକ୍ଷ ଭାବେ ସେମାନଙ୍କର ରାଷ୍ଟ୍ରପତି ନିର୍ବାଚିତ କରିଥାନ୍ତି।କିଏ ଲଢ଼ିପାରିବ ଆମେରିକା ରାଷ୍ଟ୍ରପତି ନିର୍ବାଚନ?

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କର କେତୋଟି ସର୍ବନିମ୍ନ ଯୋଗ୍ୟତା ଥିବା ଆବଶ୍ୟକ। ଏହା ବ୍ୟତୀତ କୌଣସି ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ।

ପ୍ରଥମତଃ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀଜଣକ ଆମେରିକାରେ ଜନ୍ମ ହୋଇଥିବା ଆବଶ୍ୟକ। ତାଙ୍କର ବୟସ ମଧ୍ୟ ୩୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ତା’ ସହିତ ଯେଉଁ ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ, ସେ ଗତ ୧୪ ବର୍ଷ ଧରି ଆମେରିକାରେ ରହିବା ସହିତ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିବେ। ଏହି ଯୋଗ୍ୟତା ନଥିଲେ କୌଣସି ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ।

କେବେ ହୁଏ ରାଷ୍ଟ୍ରପତି ନିର୍ବାଚନ?

ଆମେରିକାରେ ପ୍ରତି ଚାରିବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ। ଆମେରିକା ସମ୍ବିଧାନ ଅନୁଯାୟୀ ଏହାର ସ୍ଥାୟୀ ଦିବସ ମଧ୍ୟ ଧାର୍ଯ୍ୟ କରାଯାଇଛି। ନଭେମ୍ବର ମାସର ପ୍ରଥମ ସୋମବାର ପରେ ପରବର୍ତ୍ତୀ ମଙ୍ଗଳବାର ଦିନ ହିଁ ଆମେରିକାରେ ନିର୍ବାଚନ ହୋଇଥାଏ।

ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଥିବାରୁ ସେଠାରେ ରିପବ୍ଲିକାନ୍ ଓ ଡିମୋକ୍ରାଟିକ୍ ନାମକ ଦୁଇଟି ଦଳ ପ୍ରାର୍ଥୀ ଦେଇଥାନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଇଲେକ୍ଟରାଲ୍ କଲେଜ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥାନ୍ତି।ବିଶ୍ୱର ସର୍ବପୁରାତନ ଗଣତନ୍ତ୍ର – ଆମେରିକା

ଆମେରିକାକୁ ବିଶ୍ୱର ସବୁଠୁ ପୁରାତନ ଗଣତନ୍ତ୍ର ଭାବେ ଗ୍ରହଣ କରାଯାଇଥାଏ। ୧୭୮୮ ମସିହାରେ ଜର୍ଜ ୱାସିଂଟନ ଏହାର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରେ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଆମେରିକାକୁ ଶାସନ କରିଛନ୍ତି। ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୨୦୨୦ରେ ଶେଷ ହେଉଛି।

ଟ୍ରମ୍ପଙ୍କ ପୂର୍ବରୁ ଡ୍ରେମୋକ୍ରାଟିକ୍ ଦଳର ନେତା ବାରାକ୍ ଓବାମା ଦୁଇଥର ଆମେରିକାର ରାଷ୍ଟ୍ରପତି ଥିଲେ। ଓବାମା ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।

LEAVE A REPLY

Please enter your comment!
Please enter your name here