ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଖୁବଶୀଘ୍ର ଗିରଫ କରିପାରେ ଏନସିବି। ଡ୍ରଗ୍ସ ମାମଲାକୁ ନେଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଦୁଇଥର କରିସ୍ମାଙ୍କୁ ସମନ ଜାରି କରିସାରିଛି। ହେଲେ ସେ ଏହାକୁ ଖାତିର ନକରି ଏନସିବି ସାମନାରେ ହାଜିର ହୋଇନାହାନ୍ତି। ତେଣୁ ତାଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ଏନସିବି ପ୍ରସ୍ତୁତ ହେଉଥିବା ଖବର ମିଳିଛି।

କିଛି ଦିନ ତଳେ ଏନସିବି କରିସ୍ମା ପ୍ରକାଶଙ୍କ ଘରେ ଚଢ଼ାଉ କରିଥିଲା। ଯେଉଁଥିରେ ତାଙ୍କ ଘରୁ ହରୀଶ ନାମକ ଏକ ନିଶାଦ୍ରବ୍ୟ ମିଳିଥିଲା। ଏହାପରେ ଏନସିବି କରିସ୍ମାଙ୍କୁ ପଚରାଉଚୁରା କରିବାକୁ ଦୁଇଥର ସମନ ପଠାଇଲେ ବି କୌଣସି ଫଳ ମିଳିନାହିଁ। ଅନ୍ୟପଟେ କରିସ୍ମା କୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିବା ଜଣାପଡ଼ିଛି।ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଗତ ସେପ୍ଟେମ୍ବର ମାସରେ ଦୀପିକା ପାଦୁକୋନ୍ ଓ କରିସ୍ମା ପ୍ରକାଶଙ୍କୁ ଏନସିବି ଜେରା କରିଥିଲା। ଏହି ସମୟରେ ହ୍ୱାଟ୍ସଆପ୍ ଚାଟର ରହସ୍ୟ ଖୋଲିବ ବୋଲି କୁହାଯାଉଥିଲା। ହେଲେ ଦୁଇଜଣ ଯାକ ନିଶା କାରବାରକୁ ନେଇ ଜଡ଼ିତ ନଥିବା କହିଥିଲେ। ହେଲେ ବର୍ତ୍ତମାନ କରିସ୍ମାଙ୍କ ଘରୁ ଏହି ନିଶାଦ୍ରବ୍ୟ ମିଳିବା ତାଙ୍କ ଚିନ୍ତା ବଢ଼ାଇବ ବୋଲି କୁହାଯାଉଛି।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବାବେଳେ ସିବିଆଇକୁ ଏଥିରେ ଡ୍ରଗ୍ସ କାରବାରର ସୁରାକ୍ ମିଳିଥିଲା। ଏହାପରେ ଏନସିବି ଏନେଇ ତନାଘନା ଜାରି ରଖିଥିଲା। ବଲିଉଡର ବହୁ କଳାକାର ଡ୍ରଗ୍ସ କାରବାରରେ ସାମିଲ ଥିବା ନେଇ ଏନସିବି ସନ୍ଦେହ କରିଥିଲା। ଯାହାକୁ ନେଇ ଦୀପିକା, ଶ୍ରଦ୍ଧା, ସାରା ଅଲ୍ଲୀ ଖାନ୍ ଆଦି ଅଭିନେତ୍ରୀ ଏନସିବି ଜେରାର ସମ୍ମୁଖୀନ ହୋଇଥିଲେ।

 

Comment