ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡର ଅନ୍ୟତମ ସଫଳ କୋରିଓଗ୍ରାଫର ହେଉଛନ୍ତି ଧର୍ମେଶ ୟେଲାନ୍ଦେ ଓରଫ୍ ଧର୍ମେଶ ସାର୍। ସ୍ଵତନ୍ତ୍ର ନୃତ୍ୟ ଶୈଳୀ ଯୋଗୁଁ ଖୁବ୍ କମ୍ ଦିନରେ ସେ ଲୋକପ୍ରିୟ ହୋଇପାରିଛନ୍ତି। କିନ୍ତୁ ଜଣେ ସାଧାରଣ ଯୁବକରୁ ବଲିଉଡର ନାମୀଦାମୀ କୋରିଓଗ୍ରାଫର ହେବାର ଯାତ୍ରା ଧର୍ମେଶଙ୍କ ପାଇଁ ଆଦୌ ସହଜ ନଥିଲା। ପିଲାଦିନେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ସେ ବଡ଼ା ପାଓ ବିକ୍ରି କରୁଥିଲେ। ଖାଲି ସେତିକି ନୁହେଁ ଚପରାସି ଭାବେ ମଧ୍ୟ ସେ କାମ କରିଥିଲେ।

ଧର୍ମେଶ ୟେଲାନ୍ଦେ ଗୁଜୁରାଟର ଭଦୋଦରାଠାରେ ୧୯୮୩ ଅକ୍ଟୋବର ୩୧ରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଧର୍ମେଶ ଜଣେ ଭଲ କୋରିଓଗ୍ରାଫର ହେବାକୁ ଲକ୍ଷ୍ୟ ରଖିଥିଲେ। ପାଠପଢ଼ା ଅପେକ୍ଷା ସେ ନାଚକୁ ବେଶୀ ଗୁରୁତ୍ଵ ଦେଉଥିଲେ। ସେତେବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ‘ମସାଲା ପାଓ’ ନାମରେ ଏକ ବଡ଼ା ପାଓ ଦୋକାନ ଚଲାଉଥିଲେ। ଏଥିସହ ଚପରାସି ଭାବେ କାମ ମଧ୍ୟ କରୁଥିଲେ।ତେବେ ନାଚ କ୍ଲାସ୍ ଯିବାରେ ଅସୁବିଧା ହେବାରୁ ସେ ଚପରାସି ଚାକିରି ଛାଡ଼ି ଦେଇଥିଲେ। ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ତାଙ୍କୁ ଦୀର୍ଘ ୧୮ ବର୍ଷ କାଳ ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ୨୦୦୯ ମସିହାରେ ଜି ଟିଭିରେ ପ୍ରସାରିତ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୨‘ରେ ଭାଗ ନେବା ପରେ ଧର୍ମେଶଙ୍କ ଭାଗ୍ୟ ବଦଳି ଯାଇଥିଲା। ତାଙ୍କ ନିଆରା ନୃତ୍ୟ ଶୈଳୀ ସୋ’ର ବିଚାରକଙ୍କ ସମେତ ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା। ଏଥିରେ ସେ ରନର୍ସ ଅପ୍ ହୋଇଥିଲେ।

ଏହି ରିୟଲିଟି ସୋ’ ଜରିଆରେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ସୁଯୋଗ ପାଇଲେ। ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଖୁବ୍ କମ୍ ଦିନ ମଧ୍ୟରେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫର ଭାବେ ପରିଚିତ ହେଲେ। ୨୦୧୩ରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ତିସ୍ ମାର୍ ଖାଁ’ରେ କୋରିଓଗ୍ରାଫର ଭାବେ ଡେବ୍ୟୁ କରିଥିଲେ।ବର୍ତ୍ତମାନ ଧର୍ମେଶ ରିୟଲିଟି ସୋ’ ‘ଡ୍ୟାନ୍ସ ପ୍ଲସ୍’‌ରେ ବିଚାରକ ଅଛନ୍ତି। ଖାଲି ସେତିକି ନୁହେଁ, ଅଭିନୟରେ ମଧ୍ୟ ଭାଗ୍ୟ ପରଖିସାରିଛନ୍ତି ଧର୍ମେଶ। ସେ ‘ଏବିସିଡି’, ‘ଏବିସିଡି-୨’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ଅକ୍ଷୟ କୁମାର, ବରୁଣ ଧାଓ୍ଵନଙ୍କ ପରି ବହୁ ନାମୀଦାମୀ କଳାକାରମାନଙ୍କୁ କୋରିଓଗ୍ରାଫ୍ କରି ସାରିଛନ୍ତି।

Comment