ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ମାସ ୨୦ ତାରିଖରେ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ସେହି ଦିନ ହିଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବର୍ଷର ଅତିରିକ୍ତ ବଜେଟ ବିଧାନସଭାରେ ଉପସ୍ଥାପନ କରିବେ। ତେବେ ଏଥିରେ କୌଣସି ନୂଆ ଯୋଜନାକୁ ଯୋଡ଼ାଯିବ ନାହିଁ।

ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସବୁ ପ୍ରଶାସନିକ ବିଭାଗ ଅତିରିକ୍ତ ବଜେଟ ପାଇଁ ସେମାନଙ୍କ ପ୍ରସ୍ତାବ ଦାଖଲ କରିସାରିଛନ୍ତି। ଅର୍ଥ ବିଭାଗ ଏବେ ସେଗୁଡ଼ିକର ବିସ୍ତୃତ ଯାଞ୍ଚ୍ କରୁଛି। ଏଥି ଭିତରୁ କାହାକୁ କେତେ କ’ଣ ଦିଆଯିବ ସେନେଇ ବିଭାଗର ଏକ ଟିମ୍ କାମରେ ଲାଗିଛି। ବିଧାନସଭାରେ ଉପସ୍ଥାପିତ ହେବା ପୂର୍ବରୁ ଅତିରିକ୍ତ ବଜେଟକୁ କ୍ୟାବିନେଟ ବୈଠକରେ ଅନୁମୋଦିତ କରାଯିବ।

କୋଭିଡ ୧୯ ଯୋଗୁ ରାଜ୍ୟର ରାଜସ୍ୱ ଆଦାୟ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଛି। ତା’ ଛଡ଼ା ସରକାରଙ୍କ ଖର୍ଚ୍ଚରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି। କରୋନା ପରିଚାଳନାକୁ ସରକାର ଅଗ୍ରାଧିକାର ଦେଉଥିବାରୁ ଅନ୍ୟ ଉନ୍ନୟନମୂଳକ କାମ ମଧ୍ୟ ଅଟକିଛି। ଏଣୁ ଅତିରିକ୍ତ ବଜେଟରେ ଖର୍ଚ୍ଚ ଢାଞ୍ଚାକୁ କେବଳ ଏପଟ ସେପଟ କରାଯିବ। ସମ୍ବଳ ଅଭାବ ଯୋଗୁ ସରକାର କୌଣସି ନୂଆ ଯୋଜନା କଥା ଏବେ ଚିନ୍ତା କରୁନାହାନ୍ତି।ଅର୍ଥ ବିଭାଗ ଅଧିକାରୀ କହିଛନ୍ତି ଯେ, ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ବାସ୍ତବ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ପ୍ରଶାସନିକ ବିଭାଗଗୁଡ଼ିକୁ କୁହାଯାଇଥିଲା। ଯାହା ଫଳରେ କି ଅଯଥା ଖର୍ଚ୍ଚକୁ ଏଡ଼ାଇ ଦେଇହେବ। ଯେତିକି ଅର୍ଥ ମିଳୁଛି ତାହାକୁ ଖର୍ଚ୍ଚ କରିବା ପାଇଁ ବିଭାଗଗୁଡ଼ିକୁ କୁହାଯାଇଥିଲା। ବର୍ଷ ଶେଷରେ ଯେମିତି ଟଙ୍କା ସରେଣ୍ଡର ନ ହୁଏ ସେଥିପାଇଁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଥିବା କଥା ସେ କହିଛନ୍ତି।

ଅତିରିକ୍ତ ବଜେଟରେ ସରକାର ଦରମା, ପେନସନ, ମହଙ୍ଗା ଭତ୍ତା ଓ କର୍ମଚାରୀଙ୍କ ଅନ୍ୟାନ୍ୟ ଭତ୍ତା ପ୍ରଦାନ ପାଇଁ ପ୍ରଥମେ ଅଗ୍ରାଧିକାର ଦେବେ। ଠିକ ସେହିଭଳି ଜୀବନ ମରଣର ସମସ୍ୟା ହୋଇଥିବାରୁ କୋଭିଡ ପରିଚାଳନା ପାଇଁ ଅତିରିକ୍ତ ବଜେଟରେ ବ୍ୟାପକ ଅର୍ଥ ବରାଦ କରାଯିବ। ତା’ ଛଡ଼ା ସାମାଜିକ ସୁରକ୍ଷା ଓ ବିଭିନ୍ନ ଜୀବିକା ନିର୍ବାହ କାର୍ଯ୍ୟକ୍ରମକୁ ବି ଅଗ୍ରାଧିକାର ମିଳିବ।

ଇତି ମଧ୍ୟରେ ଯଦିଓ ସରକାର ମାଇନିଂ ଲିଜ୍ ବାବଦକୁ କିଛି ଅଧିକ ପରିମାଣର ରାଜସ୍ୱ ଆଦାୟ କରି ପାରିଛନ୍ତି, କିନ୍ତୁ ଅନ୍ୟ ବହୁ କ୍ଷେତ୍ରରେ ରାଜସ୍ୱ ଆଦାୟ ଯଥେଷ୍ଟ ହୋଇନାହିଁ।

LEAVE A REPLY

Please enter your comment!
Please enter your name here