ଓଡ଼ିଶାଲାଇଭ୍ ବ୍ୟୁରୋ
- ରଙ୍ଗ, କେମିକାଲ୍ ସହ ୧୫ କ୍ୱିଣ୍ଟାଲ୍ ସାମଗ୍ରୀ ଜବତ
- ମାଲିକଙ୍କ ସମେତ ଦୁଇ କର୍ମଚାରୀ ଗିରଫ
କଟକ: କଟକ ମାଲଗୋଦାମ ଅଞ୍ଚଳରେ ବୁଧବାର ଏକ ନକଲି ମସଲା ତିଆରି କାରଖାନା ଠାବ ହୋଇଛି। ମାଲଗୋଦାମ ଥାନା ପୋଲିସ ଚଢ଼ାଉ କରି କାରଖାନାରୁ କ୍ଷତିକାରକ ରଙ୍ଗ, ରାସାୟନିକ ପଦାର୍ଥ, ଚାଉଳ ଗୁଣ୍ଡ ସମେତ ପ୍ରାୟ ୧୫ କ୍ୱିଣ୍ଟାଲ୍ ନିମ୍ନମାନର ସାମଗ୍ରୀ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
ଏହି ଘଟଣାରେ କାରଖାନାର ମାଲିକ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ସଚ୍ଚିଦାନନ୍ଦ ସାହୁଙ୍କ ସମେତ ଦୁଇ କର୍ମଚାରୀ ମୁରାଦଖାଁପାଟଣା ଅଞ୍ଚଳର ସେକ୍ ମିରାଜ୍ ଓ ଗଞ୍ଜାମ ଜିଲ୍ଲାର ଯୁଧିଷ୍ଠିର ଜେନାକୁ ପୋଲିସ ଗିରଫ କରିଛି।
କଟକ, ଜଗତପୁର ଓ ଆଖପାଖ ଅଞ୍ଚଳ ଏବେ ନକଲି କାରଖାନାର ପେଣ୍ଠସ୍ଥଳୀ ପାଲଟିଛି। ଘିଅ, ସୋରିଷ ତେଲ, ସସ୍ ଭଳି ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ସିମେଣ୍ଟ, ପ୍ରସାଧନ ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନକଲି କାରଖାନା ଠାବ ହେବାରେ ଲାଗିଛି। ଏହି କ୍ରମରେ ମାଲଗୋଦାମ ଅଞ୍ଚଳରେ ଥିବା ଏକ ଘରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଧନିଆ ଗୁଣ୍ଡ ଆଦି ଅପମିଶ୍ରଣ ହେଉଥିବା ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା। ଖବର ପାଇ ପୋଲିସ ଏବଂ ସିଏମ୍ସି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମସଲା କାରଖାନା ଉପରେ ଚଢ଼ାଉ କରିଥିଲେ।
କାରଖାନାରେ ବିପୁଳ ସାମଗ୍ରୀ ଦେଖି ପୋଲିସ ଏବଂ ସିଏମ୍ସି ଅଧିକାରୀମାନେ ତାଜୁବ୍ ହୋଇଯାଇଥିଲେ। ସେଠାରେ ଅତି ନିମ୍ନମାନର ଖଣ୍ଡ ହଳଦୀ ସହ ପୋକରା ଅରୁଆ ଚାଉଳ ଖୁଦ ଗୁଣ୍ଡ ଓ ଅଟା ମିଶାଇ ହଳଦୀ ରଙ୍ଗ ଦିଆଯାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ ହେଉଥିବା ତଦନ୍ତକାରୀ ଦଳ ଦେଖିବାକୁ ପାଇଥିଲେ।
ସେହିପରି ନିମ୍ନମାନର ଚାଉଳ ଗୁଣ୍ଡ ସହ ଅଳ୍ପ କିଛି ଶୁଖିଲା ଲଙ୍କା, ଲାଲ୍ ରଙ୍ଗ ଏବଂ କେମିକାଲ ମିଶାଇ ଲଙ୍କାଗୁଣ୍ଡ ପ୍ରସ୍ତୁତ ହେଉଥିଲା। ଅନୁରୂପ ଭାବେ ଧନିଆ, ଜିରା ସମେତ ବିଭିନ୍ନ ପ୍ରକାର ମସଲା ତିଆରି ହେଉଥିଲା।
ଚଢ଼ାଉ ବେଳେ କାରଖାନା ମାଲିକ ଏବଂ ମିସ୍ତ୍ରୀ ଖସିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଅଭିଯୁକ୍ତମାନଙ୍କୁ ପୋଲିସ କାବୁ କରିବା ସହ ଘଟଣାସ୍ଥଳରୁ ବସ୍ତାବସ୍ତା ନିମ୍ନମାନର ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଚଢ଼ାଉରେ ପୋଲିସ ପକ୍ଷରୁ ଏସିପି ଅମରେନ୍ଦ୍ର ପଣ୍ଡା, ମାଲଗୋଦାମ ଥାନା ଅଧିକାରୀ ରବିନାରାୟଣ ଭଞ୍ଜ, ଏସ୍ଆଇ ସୁନୀଲ ଯାଦବ ଏବଂ ସିଏମ୍ସି ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର ଏବଂ ଖାଦ୍ୟ ଯାଞ୍ଚ୍ ଅଧିକାରୀ ଭଗବାନ ଲେଙ୍କା ସାମିଲ୍ ହୋଇଥିଲେ।
















